fbpx

ଏସସିବିରେ ନୂଆ ନିୟମ: ଏଣିକି ଚିକିତ୍ସାଧୀନ ରୋଗୀ, ପ୍ରସୂତି, ଦୁର୍ଘଟଣାଗ୍ରସ୍ତ ସମସ୍ତେ ଆଧାର କାର୍ଡ ଜେରକ୍ସ କପି ଜମା କରିବେ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ ସ୍ଥିତ ଏସସିବି ଡାକ୍ତରଖାନା ପାଇଁ ଆସିଛି ଏକ ନୂଆ ନିୟମ । ଏଣିକି ଡାକ୍ତରଖାନାର ବିଭିନ୍ନ ୱାର୍ଡରେ ଆଡମିଶନ ନେଇ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ । ବିଭାଗୀୟ ସ୍ତରର ୱାର୍ଡ, ଆଇସିୟୁରେ ଚିକିତ୍ସାଧୀନ ରୋଗୀ, ଦୁର୍ଘଟଣାଗ୍ରସ୍ତ, ପ୍ରସୂତି, ସମସ୍ତେ ଆଧାର କାର୍ଡ ଜେରକ୍ସ କପି ଜମା କରିବେ ।

ଖବର ମୁତାବକ, ଏସସିବିର ସମସ୍ତ କ୍ଲିନିକାଲ ବିଭାଗର ମୁଖ୍ୟ ଓ ୱାର୍ଡର ନର୍ସିଂ ଅଫିସର ଇନଚାର୍ଜମାନଙ୍କୁ ଚିଠି ଲେଖାଯାଇଛି । ନୂଆ ନିୟମ ବାବଦରେ ଡାକ୍ତରଖାନା ଅଧିକ୍ଷକ ସମସ୍ତଙ୍କୁ ଅବଗତ କରାଇଛନ୍ତି । ଆଡମିଶନ ସମୟରେ ଆଧାର ଜେରକ୍ସ ଜମା କରି ନପାରିଲେ ସମ୍ପର୍କୀୟମାନେ ଚିକିତ୍ସା ସମୟରେ ଜମା କରିପାରିବେ । ଆଡମିଶନ ସମୟରେ ବହୁ ରୋଗୀଙ୍କ ସମ୍ପର୍କୀୟ ସଠିକ୍ ତଥ୍ୟ ଦେଉ ନଥିବାରୁ ପରବର୍ତ୍ତୀ ସମୟରେ ବହୁ ସମସ୍ୟା ଦେଖାଯାଉଛି ।

କୌଣସି ପରିସ୍ଥିତିରେ ଯଦି କାହାର ମୃତ୍ୟୁ ଘଟୁଛି ତେବେ ସମ୍ପର୍କୀୟମାନେ ଜନ୍ମ, ମୃତ୍ୟୁ ପ୍ରମାଣପତ୍ର ପାଇଁ ହୀନସ୍ତା ହେଉଛନ୍ତି । ପଞ୍ଜିକରଣ ସମୟରେ ଉଲ୍ଲେଖ ଥିବା ତଥ୍ୟ ଆଧାରରେ ମୃତ୍ୟୁ ପ୍ରମାଣପତ୍ର ମିଳିଥାଏ । ପଞ୍ଜୀକରଣ ତ୍ରୁଟି କାରଣରୁ ରୋଗୀ ସମ୍ପର୍କୀୟମାନେ ଅନେକ ସମସ୍ୟା ଭୋଗୁଛନ୍ତି । ଏ ବାବଦରେ ଦୈନିକ ଅନେକ ସମସ୍ୟା ଡାକ୍ତରଖାନା ଅଧିକ୍ଷକଙ୍କ ନିକଟରେ ପହଞ୍ଚୁଛି । ଫଳରେ ଏନେଇ ସତ୍ୟପାଠ ସହ ଅନ୍ୟାନ୍ୟ କାଗଜପତ୍ର ଦାଖଲ ନେଇ ଲୋକଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି । ବେଡ ହେଡ୍ ଟିକେଟରେ ଆଧାର କାର୍ଡ ଜେରକ୍ସ ସଂଲଗ୍ନ କରି ୱାର୍ଡ ପକ୍ଷରୁ ରେକର୍ଡ ରୁମକୁ ପଠାଗଲେ ଆଉ ସମସ୍ୟା ରହିବନି ବୋଲି କୁହାଯାଇଛି ।

Get real time updates directly on you device, subscribe now.