fbpx
BSKY SKY
BSKY SKY

ବଢିଲା ମିଶନ୍ ଶକ୍ତି କର୍ମକର୍ତ୍ତାଙ୍କ ଦେୟ: ବୃଦ୍ଧି କଲେ ରାଜ୍ୟ ସରକାର

BSKY

ଭୁବନେଶ୍ୱର: ମିଶିନ୍ ଶକ୍ତି କର୍ମକର୍ତ୍ତାଙ୍କ ଦେୟ ପରିମାଣରେ ବୃଦ୍ଧି କରାଇଛନ୍ତି ରାଜ୍ୟ ସରକାର । ଗ୍ରାମ ପଞ୍ଚାୟତ ତଥା ବ୍ଲକସ୍ତରୀୟ କର୍ମକର୍ତ୍ତାଙ୍କ ବୈଠକ ଦେୟ ବୃଦ୍ଧି ହେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ବର୍ତ୍ତମାନର ଦେୟ ଅପେକ୍ଷା ୫୦୦ ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହାପରେ ବ୍ଲକସ୍ତରୀୟ ସଭାପତି ଏବଂ ସମ୍ପାଦକଙ୍କ ଦେୟ ୪୫୦୦ ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ଦେୟ ୨୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ପଞ୍ଚାୟତ ସ୍ତରୀୟ ସଭାପତି ଓ ସମ୍ପାଦକଙ୍କ ଦେୟ ମଧ୍ୟ ୨୫୦୦କୁ ବୃଦ୍ଧି କରିଛନ୍ତି ସରକାର । ତେବେ କାର୍ଯ୍ୟକାରିଣୀ ସଦସ୍ୟଙ୍କ ଦେୟ ୧୫୦୦ ଟଙ୍କାକୁ ବୃଦ୍ଧି ହୋଇଛି । ସରକାରଙ୍କ ଏହି ନିଷ୍ପତ୍ତି ରାଜ୍ୟର ପ୍ରାୟ ୧ ଲକ୍ଷ ୨୬ ହଜାର ୧୦ ଜଣ କର୍ମକର୍ତ୍ତା ଉପକୃତ ହୋଇପାରିବେ । ଏହା ୨୦୨୩ ଅକ୍ଟୋବରରୁ ପିଛିଲା ଭାବରେ ଲାଗୁ କରାଯିବ ବୋଲି କୁହାଯାଇଛି ।

ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟର ମିଶନ ଶକ୍ତି କାର୍ୟ୍ୟକ୍ରମରେ ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରସନର କର୍ମକର୍ତ୍ତାମାନଙ୍କର ବୈଠକ ଦେୟ ବୃଦ୍ଧି କରିବା ସମ୍ପର୍କରେ ଘୋଷଣା କରିଛନ୍ତି। ଫାଇଭ-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ମିଶନ ଶକ୍ତି ଫେଡେରସନର କର୍ମକର୍ତ୍ତାଙ୍କ ପକ୍ଷରୁ ଦେୟ ପରିମାଣ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦିଆ ଯାଇଥିଲା। ତେବେ ଏ ନେଇ ଆଲୋଚନା ହେବା ପରେ ସେମାନଙ୍କ ବୈଠକ ଦେୟ ପରିମାଣ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ନବୀନ ପଟ୍ଟନାୟକ । ଏହି ନିଷ୍ପତ୍ତି ଅନୁଯାୟୀ, ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରେସନର ସଭାପତି, ସଂପାଦକ ତଥା ଅନ୍ୟ କାର୍ୟ୍ୟକାରିଣୀ ସଦସ୍ୟମାନଙ୍କ ବୈଠକ ଦେୟ ପରିମାଣରେ ୫୦୦ ଟଙ୍କା ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ଦେୟ ପରିମାଣ ୨୦୨୩ ଅକ୍ଟୋବର ମାସରୁ ପିଛିଲା ଭାବେ ଲାଗୁ ହେବ।

ବ୍ଲକସ୍ତରୀୟ ଫେଡେରସନର ସଭାପତି ଓ ସଂପାଦକମାନେ ବୈଠକ ପାଇଁ ପୂର୍ବରୁ ୪,୦୦୦ ଟଙ୍କା ପାଉଥିବା ବେଳେ ଏବେ ୪,୫୦୦ ଟଙ୍କା ପାଇବେ। ସେହିପରି ଏହାର ଅନ୍ୟ କାର୍ୟ୍ୟକାରିଣୀ ସଦସ୍ୟ ପୂର୍ବରୁ ୨,୦୦୦ ଟଙ୍କା ପାଉଥିବା ବେଳେ ଏବେ ୨,୫୦୦ ଟଙ୍କା ପାଇବେ। ସେହିପରି ଗ୍ରାମପଞ୍ଚାୟତ ସ୍ତରୀୟ ଫେଡେରସନର ସଭାପତି ଓ ସମ୍ପାଦକମାନେ ୨,୦୦୦ ଟଙ୍କା ପାଉଥିବା ବେଳେ ଏବେ ୨,୫୦୦ ଟଙ୍କା ପାଇବେ ଏବଂ ଅନ୍ୟ କାର୍ୟ୍ୟକାରିଣୀ ସଦସ୍ୟା ୧,୦୦୦ ଟଙ୍କା ପରିବର୍ତ୍ତେ ଏବେ ୧,୫୦୦ ଟଙ୍କା ପାଇବେ। ଏହା ଦ୍ୱାରା ବର୍ଷକୁ ୨୪୯.୨୧ କୋଟି ଟଙ୍କା ଖର୍ଚ୍ଚ ହେବ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ୬୭୬ ଜଣ ବ୍ଲକସ୍ତରୀୟ ଫେଡେରସନ ସଭାପତି ଓ ସଂପାଦକ ଥିବା ବେଳେ ଅନ୍ୟ ସଦସ୍ୟମାନଙ୍କ ସଂଖ୍ୟା ୩୦୪୨ । ସେହିପରି ଗ୍ରାମପଞ୍ଚାୟତ ସ୍ତରୀୟ ଫେଡେରସନରେ ୧୩,୫୮୮ ଜଣ ସଭାପତି ଓ ସମ୍ପାଦକ ଥିବା ବେଳେ ଅନ୍ୟ ସଦସ୍ୟମାନଙ୍କ ସଂଖ୍ୟା ୧,୦୮,୭୦୪ । ଏହା ପରି ସମୁଦାୟ ୧,୨୬,୦୧୦ କର୍ମକର୍ତ୍ତା ଉପକୃତ ହେବେ।

Get real time updates directly on you device, subscribe now.