(Video) ଲୋଭ ଆଗରେ ଫିକା ପଡ଼ିଲା ମାନବିକତା: ମଦ ଗାଡ଼ି ଓଲଟିବା ପରେ ସାହାଯ୍ୟ ବଦଳରେ ଲୋକମାନେ ମଦ ବୋହିନେଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ଆଖି ଆଗରେ ଏପରି କିଛି ଘଟଣା ଘଟିଥାଏ, ଯାହାକୁ ଯେତେ ନିନ୍ଦା କଲେ ବି କମ୍ ହେବ । ସମୟ ଭଲ ଥିବା ସମୟରେ ଲୋକମାନେ ବଡ଼ ବଡ଼ ଭାଷଣ ମାରିଥାନ୍ତି, ଅନ୍ୟକୁ ସାହାଯ୍ୟ କରିବା ମଣିଷର ଧର୍ମ ବୋଲି ଅନେକ କହିଥାନ୍ତି । ମାତ୍ର ଠିକଣା ସମୟରେ ସମସ୍ତେ ଲୁଚି ଯାଇଥାନ୍ତି । ‘ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ’ ବୋଲି ଏପରି ଘଟଣାରୁ ସ୍ପଷ୍ଟ ଭାବେ ପ୍ରମାଣିତ ହୋଇଥାଏ ।

ତେବେ ଏହା ମଧ୍ୟରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ମଦ ବୋଝେଇ ଗାଡ଼ି ଓଲଟି ପଡ଼ିଥିଲା । ତେବେ ଗାଡ଼ି ଓଲଟି ପଡ଼ିଥିବା ଡ୍ରାଇଭର କାନ୍ଦୁଥିବା ବେଳେ ଲୋକମାନେ ତାକୁ ସାହାଯ୍ୟ କରିବେ କ’ଣ, ଗାଡ଼ିକୁ ଉଦ୍ଧାର କରିବେ କ’ଣ, ସେମାନେ ନିଜ ନିଜର ସ୍ୱାର୍ଥ ଦେଖିଥିଲେ । ଗାଡ଼ିରୁ ଛିଟି ପଡ଼ିଥିବା ମଦକୁ ଗୋଟାଇ ଲୋକମାନେ ଦୌଡ଼ିଥିଲେ । ବିପଦ ସମୟରେ ସ୍ୱାର୍ଥପରତାର ଏକ ନିଚ୍ଛକ ନମୂନା ଦେଖିବାକୁ ମିଳିଥିଲା । ଗାଡ଼ିଟି ଓଲଟି ପଡ଼ିବା ପରେ ରାସ୍ତାରେ ଲୋକଙ୍କର ଭିଡ଼ ଜମିଥିଲା । ଦୁର୍ଘଟଣାର ପୀଡ଼ିତଙ୍କୁ ଉଦ୍ଧାର କରିବେ କ’ଣ ଲୋକମାନେ ମଦ ଦୋକାନ ଆଗରେ ଭିଡ଼ ଜମାଇବା ଭଳି ରୁଣ୍ଡ ହୋଇଯାଇଥିଲେ । ଲୋଭ ଆଗରେ ସତେ ଯେମିତି ମାନବିକତା ମରିଯାଇଥିଲା । ପରେ ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଆୟତ୍ତ କରିଥିଲା । କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାରେ ଏକ ମଦ ବୋଝେଇ ପିକଅପ୍ ଭ୍ୟାନ୍ ଧକ୍କା ଦେଇ ଓଲଟି ପଡ଼ିଥିଲା ।