fbpx

ପିଲାଙ୍କ ପାଇଁ ମଧ୍ୟ ପ୍ରସ୍ତୁତ ହେବ ଫାଇଜର୍ ଟିକା, ଜାଣନ୍ତୁ କଣ କହିଲେ AIIMS ମୁଖ୍ୟ…

ନୂଆଦିଲ୍ଲୀ: ଦେଶରେ ଲାଗି ରହିଛି କରୋନାରୁ ମୁକ୍ତି ପାଇବାର ଚିନ୍ତା । ସରକାରଠୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ମହାମାରୀ କବଳରୁ ମୁକୁଳିବାକୁ ଉପାୟ ଖୋଜୁଛନ୍ତି । ଇତିମଧ୍ୟରେ ଦେଶରେ ଚାଲିଛି ଟିକାକରଣ । ତେବେ ଏହାକୁ ଆହୁରି ବ୍ୟାପକ କରିବା ପାଇଁ ବିଦେଶ କମ୍ପାନିମାନଙ୍କୁ ସରକାର ସୁଯୋଗ ଦେଉଛନ୍ତି । ଏହି କ୍ରମରେ ଫାଇଜର୍ ଓ ମଡର୍ଣ୍ଣା ଭଳି ବିଦେଶ ଟିକା ପାଇଁ ସରକାର ସମସ୍ତ ପ୍ରକାର ଅନୁମତି ଦେଇସାରିଲେଣି । ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ସମସ୍ତ ଭାରତୀୟଙ୍କୁ ଟିକାକରଣ କରିବା ଲକ୍ଷ୍ୟ ରଖିଛନ୍ତି ସରକାର । ସେହିପରି କରୋନାର ତୃତୀୟ ଲହର ଆଶଙ୍କା କରାଯାଉଥିବା ବେଳେ ସେଥିରୁ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ଟିକା ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଉଛି । ଏମ୍ସର ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିୟା କହିଛନ୍ତି ଯେ ପିଲାଙ୍କ ପାଇଁ ମଧ୍ୟ ଫାଇଜର୍ ଟିକା ପ୍ରସ୍ତୁତ ହେବ ।

ଡାକ୍ତର ଗୁଲେରିୟା କହିଛନ୍ତି ଯେ ଆମେରିକା, ଇଂଲଣ୍ଡ ଓ ୟୁରୋପୀୟ ସଂଘ ଦ୍ୱାରା ମଞ୍ଜୁରିପ୍ରାପ୍ତ କମ୍ପାନିଗୁଡ଼ିକର ଟିକା ପାଇଁ ସରକାର ରାସ୍ତା ସଫା କରିଦେଇଛନ୍ତି । ଜରୁରିକାଳୀନ ଭିତ୍ତିରେ ସେହି ସବୁ ଟିକାଗୁଡ଼ିକୁ ଅନୁମତି ମିଳିସାରିଛି । ତେଣୁ ଖୁବ୍ ଶୀଘ୍ର ବୟସ୍କ ବ୍ୟକ୍ତିଙ୍କ ସମେତ ପିଲାଙ୍କ ପାଇଁ ଫାଇଜର୍ ଟିକା ଆସିଯିବ ବୋଲି ଡାକ୍ତର ଗୁଲେରିୟା ଆଶା ବ୍ୟକ୍ତ କରିଛନ୍ତି ।

ଅନ୍ୟପକ୍ଷରେ ୧୨ରୁ ୧୫ ବର୍ଷର ପିଲାଙ୍କୁ ଫାଇଜର୍ ଟିକା ଦିଆଯିବ ବୋଲି ବ୍ରିଟେନ୍ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଶୁକ୍ରବାର ଏହି ଘୋଷଣା କରାଯିବା ପରେ ଟିକା ଆଶାୟୀ ଥିବା ଭାରତ ପାଇଁ ମିଳିଛି ଏକ ବଡ଼ ଆଶ୍ୱସ୍ତି ।

Get real time updates directly on you device, subscribe now.