ଆତଙ୍କବାଦୀଙ୍କ ସହ ଲଢ଼ି ଶହୀଦ ହୋଇଥିବା ‘ଫାଣ୍ଟମ’ ପାଇବ ସାହସିକତା ପୁରସ୍କାର, ଜାଣନ୍ତୁ ଶତ୍ରୁଙ୍କ ସହ କିପରି କରିଥିଲା ମୁକାବିଲା…

ନୂଆଦିଲ୍ଲୀ,୨୫ା୧: ଆତଙ୍କବାଦୀଙ୍କ ସହ ଲଢୁଥିବା ବେଳେ ଭାରତୀୟ ସେନାର କୁକୁର ‘ଫାଣ୍ଟମ୍’ ଶହୀଦ ହୋଇଥିଲା, ବର୍ତ୍ତମାନ ‘ଫାଣ୍ଟମ’ ସାହସିକତା ପୁରସ୍କାର ପାଇବ।   ଗତ ବର୍ଷ ଅକ୍ଟୋବରରେ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ହୋଇଥିବା ଅପରେସନରେ ଫାଣ୍ଟମ୍ ଶହୀଦ ହୋଇଥିଲା।

ସୁନ୍ଦରବନି ସେକ୍ଟରର ଅଖନୁରରେ ସେନା ଗାଡ଼ି ଉପରକୁ ଆତଙ୍କବାଦୀ ହମଲା କରିଥିଲେ।  ଅପରେସନରେ ଫାଣ୍ଟମ୍ ଭାରତୀୟ ସେନାକୁ ସମର୍ଥନ କରିଥିଲା ​​ଏବଂ ଶତ୍ରୁମାନଙ୍କ ଟାର୍ଗେଟରେ ଆସିଥିଲା। ଏହି ଅପରେସନ୍ ସମୟରେ ଯେତେବେଳେ ସେନାମାନେ ଆତଙ୍କବାଦୀଙ୍କ ନିକଟତର ହୋଇଥିଲେ, ଫାଣ୍ଟମ୍ ଶତ୍ରୁ ଗୁଳିର ସମ୍ମୁଖୀନ ହୋଇଥିଲା, ଯେଉଁଥିରେ ସେ ଗୁରୁତର ଆହତ ହୋଇ ପ୍ରାଣ ହରାଇଥିଲା। ବେଲଜିୟମ ମାଲିନୋଇସ୍ ପ୍ରଜାତିର ଏହି କୁକୁରଟି ୨୫ ମେ ୨୦୨୦ରେ ଜନ୍ମଗ୍ରହଣ କରିଥିଲା ​​ଏବଂ ୧୨ ଅଗଷ୍ଟ ୨୦୨୨ରେ ସେନାରେ ନିୟୋଜିତ ହୋଇଥିଲା।

ଫାଣ୍ଟମ୍  କିପରି ସେନାର ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ହୋଇଗଲା?

ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଟ୍ରେଲ ଟ୍ରାକ୍ କରିବାରେ ଫାଣ୍ଟମ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଫାଣ୍ଟମ୍ ଲୁକ୍କାୟିତ ବିସ୍ଫୋରକ ଚିହ୍ନଟ କରି ସମ୍ଭାବ୍ୟ ପଳାୟନ ମାର୍ଗ ଚିହ୍ନଟ କରି ସୈନ୍ୟମାନଙ୍କୁ ଅବରୋଧକୁ ଦୃଢ଼ କରିବାରେ ସାହାଯ୍ୟ କରିଥିଲା।

ଫାଣ୍ଟମ ଶହୀଦ ହେବା ପରେ ଏକ ଶ୍ରଦ୍ଧାଞ୍ଜଳି ସମାରୋହ ଆୟୋଜିତ ହୋଇଥିଲା। ତା’ପରେ ଭାରତୀୟ ସେନା ମେଜର ଜେନେରାଲ ସମୀର ଶ୍ରୀବାସ୍ତବ କହିଥିଲେ ଯେ, ଏହି ଅପରେସନରେ ଆମେ ସେନା କୁକୁର ଫାଣ୍ଟମ ହରାଇଥିଲୁ, ଯେତେବେଳେ ଆମେ ସର୍ଚ୍ଚ ଅପରେସନ କରୁଥିଲୁ ସେ ଆଗରେ ଥିଲା ଏବଂ ଆତଙ୍କବାଦୀମାନେ କୁକୁର ଉପରେ ଗୁଳି ଚଳାଇଥିଲେ। ଫାଣ୍ଟମର ବଳିଦାନ ଯୋଗୁ ହିଁ ଅନେକ ଜୀବନ ରକ୍ଷା ପାଇପାରିଲା

ସେନାରେ କିପରି ନିଯୁକ୍ତ ହୁଅନ୍ତି କୁକୁର

 ଭାରତୀୟ ସେନାରେ କୁକୁରଙ୍କ ଭର୍ତ୍ତି ସହଜ ନୁହେଁ। ତାଙ୍କୁ ଅନେକ ପର୍ଯ୍ୟାୟରେ ଟ୍ରେନିଂ ଦେଇ ଯିବାକୁ ପଡ଼ିଥାଏ। ଏମିତିରେ କିଭଳି ଭାବେ କୁକୁରଙ୍କୁ ଭର୍ତ୍ତି କରାଯାଏ ? ଟ୍ରେନିଂରେ  ସେମାନଙ୍କୁ କ’ଣ କ’ଣ ଶିଖାଯାଇଥାଏ। କେଉଁ ପ୍ରଜାତିର କୁକୁରଙ୍କୁ ପ୍ରାଧାନ୍ୟ ଦିଆଯାଏ? ବୋଲି ମନରେ ପ୍ରଶ୍ନ ଉଙ୍କିଥାଏ।
ଭାରତୀୟ ସେନାରେ କୁକୁରଙ୍କ ଭର୍ତ୍ତି ଲାଗି ଅନେକ ପ୍ରକ୍ରିୟା ରହିଛି। ସେମାନଙ୍କୁ ବୁଦ୍ଧିମତା, ଫୁର୍ତ୍ତି, ଅନୁଶାସନପ୍ରିୟତା ଆଧାରରେ ଚୟନ କରାଯାଇଥାଏ। ଯେମିତିକି ଗ୍ରେଟ୍‌ ସ୍ବିସ୍‌ ମାଉଣ୍ଟେନ, ଜର୍ମାନ ଶେଫଡ୍‌, ବେଲ୍‌ଜିଅନ୍‌ ମାଲିନୋଇସ୍‌, ଲାବ୍ରାଡୋର ରିଟ୍ରିଭର୍ସ, ଲାବ୍ରାଡୋର ଆଦିକୁ ସେନାରେ ସାମିଲ କରାଯାଇଛି। ଦୀର୍ଘଦିନରୁ ଭାରତୀୟ ସେନାରେ ବିଦେଶୀ ପ୍ରଜାତିର କୁକୁରଙ୍କୁ ସାମିଲ କରିବାର ପରମ୍ପରା ରହିଛି। ହେଲେ ୨୦୧୭ରେ ସେନାରେ ଭାରତୀୟ ପ୍ରଜାତିର କୁକୁରଙ୍କୁ ସାମିଲ କରାଯିବା ଆରମ୍ଭ ହୋଇଛି।
ଅନେକ ପର୍ଯ୍ୟାୟରେ କଠିନ ଟ୍ରେନିଂ ପରେ ସେମାନେ ସେନାରେ ସାମିଲ ହୋଇଥାନ୍ତି। ମୁଖ୍ୟତଃ ତାଙ୍କ ଟ୍ରେନିଂ ମେରଟର ରିମାଉଣ୍ଟ ଆଣ୍ଡ ଭେଟେନାରୀ କୋର ସେଣ୍ଟର ଆଣ୍ଡ କଲେଜରେ ହୋଇଥାଏ। ୧୯୬୦ରୁ ଆରମ୍ଭ ହୋଇଥିବା ଏହି ଟ୍ରେନିଂ ସେଣ୍ଟରରେ ଅନେକେ ମାସ ଯାଏ ଟ୍ରେନିଂ ଦିଆଯାଇଥାଏ। ସାଧାରଣତଃ ସେମାନଙ୍କୁ ପ୍ରାୟ ୧୦ ମାସ ଯାଏ ତାଲିମ ଦିଆଯାଏ।
ଟ୍ରେନିଂ ସମୟରେ କୁକୁରଙ୍କ ବିଶ୍ୱସନୀୟତା ଏବଂ ଯୁଦ୍ଧ କୌଶଳକୁ ପ୍ରଖର କରାଯାଏ। ଏହାପରେ ସେମାନେ ସେନାରେ ସାମିଲ ହେବାର ଯୋଗ୍ୟ ହୁଅନ୍ତି। ପ୍ରତ୍ୟେକ କୁକୁରଙ୍କ ଜଣେ ହ୍ୟାଣ୍ଡଲର୍‌ ଥାନ୍ତି, ଯିଏ ତାଙ୍କୁ ପ୍ରତ୍ୟେହ ଟ୍ରେନିଂ ଦେବା ସହ ଗାଇଡ୍‌ କରିଥାନ୍ତି।
ବିଶେଷକରି କୁକୁରମାନଙ୍କୁ ଉଦ୍ଧାର ଏବଂ ସର୍ଚ୍ଚ ଅପରେସନ ଚଳାଇବାରେ ଦକ୍ଷତାକୁ ବଢ଼ାଇବା ସହ ବିସ୍ଫୋରକ ସାମଗ୍ରୀ ଜବତ ଏବଂ ଲ୍ୟାଣ୍ଡମାଇନ ଚିହ୍ନଟ କରିବାରେ ଯବାନମାନଙ୍କୁ ସାହାଯ୍ୟ କରିବାକୁ ତାଲିମ ଦିଆଯାଇଥାଏ। ଯୁଦ୍ଧ ପରିସ୍ଥିତିରେ ତାଙ୍କୁ କେବେ ଭୁକିବା ଉଚିତ ଏବଂ ଉଚିତ ନୁହେଁ ଏହା ମଧ୍ୟ ଶିଖାଯାଇଥାଏ। ଏହାଦ୍ୱାରା ଶତ୍ରୁଙ୍କୁ ତାଙ୍କ ବିଷୟରେ ଜଣାପଡ଼ିବ ନାହିଁ। ଏଣୁ ସେମାନଙ୍କୁ କଠୋର ତାଲିମ ଦେଇ ଗତି କରିବାକୁ ପଡ଼ିଥାଏ। ଗୁଳିମାଡ଼ ଏବଂ ଉତ୍ତେଜନା ପରିସ୍ଥିତିରେ କିଭଳି ଶାନ୍ତ ରହିବା ତାହା ଶିକ୍ଷା ଦିଆଯାଇଥାଏ।
ତେବେ ସେନାରେ ୩୦ରୁ ଅଧିକ ଡଗ୍‌ ୟୁନିଟ୍‌ ରହିଛି। ଗୋଟିଏ ୟୁନିଟ୍‌ରେ ପ୍ରାୟ ୨୪ କୁକୁର ରହିଥାନ୍ତି। ସେମାନଙ୍କ ମଧ୍ୟରୁ କେବଳ ଜାମ୍ମୁ-କାଶ୍ମୀରରେ ୧୨ ଡଗ୍‌ ୟୁନିଟ୍‌ ରହିଛି। ସେନାରେ କୁକୁରଙ୍କ ନିଯୁକ୍ତି ୧୩ ରୁ ୧୫ ମାସ ବୟସରେ କରାଯାଇଥାଏ। ୮-୧୦ ବର୍ଷ ବୟସରେ ସେମାନଙ୍କୁ ସେବାନିବୃତ କରିଦିଆଯାଏ। ଜନ୍ମରୁ ନେଇ ସେନାର ଡ୍ୟୁଟି ଏବଂ ଅବସର ହେବା ଯାଏ ତାଙ୍କୁ ଯତ୍ନ ନିଆଯାଏ। ଅବସର ପରେ ମଧ୍ୟ ସେନାର କୁକୁରଙ୍କୁ ପୋଷ୍ୟ ଭାବେ ନିଆଯାଇପାରେ। ସେହି ବ୍ୟକ୍ତିଙ୍କୁ ବଣ୍ଡରେ ଦସ୍ତଖତ କରିବାକୁ ପଡେ, ଯେଉଁଥିରେ ସେ କୁକୁରଙ୍କ ଯତ୍ନ ନେବେ ବୋଲି ଉଲ୍ଲେଖ ଥାଏ।