ସିହୋର: ଅନେକ ସମୟରେ ବିବାହ ଭାଙ୍ଗିବାକୁ ନେଇ ଗଣ୍ଡଗୋଳ ହୋଇଥାଏ । ତେବେ ମଧ୍ୟପ୍ରଦେଶ ସିହୋର ଜିଲ୍ଲାରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଥିଲା । ଯେଉଁଠାରେ ପିଲାଦିନେ ହୋଇଥିବା ନିର୍ବନ୍ଧ ଭାଙ୍ଗିବା କାରଣରୁ ହୋଇଥିଲା ରକ୍ତାକ୍ତ ସଂଘର୍ଷ । ଆଉ ଏଥିରେ ୩ ଜଣକର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି । ସେପଟେ ମୃତକଙ୍କ ପରିବାର ଲୋକମାନେ ମଧ୍ୟ ହସ୍ପିଟାଲରେ ହଙ୍ଗାମା କରିଛନ୍ତି ।
ସୂଚନା ଅନୁଯାୟୀ, ସାମରୀ ଗ୍ରାମର ଯାଯାବରଙ୍କ ସମୁଦାୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଅତ୍ୟନ୍ତ ଭୟଙ୍କର ହୋଇଥିଲା । ଗାଁର ଲକ୍ଷ୍ମଣ ସିଂହ ଯାଯାବରଙ୍କ ପରିବାର ଉପରକୁ ଆକ୍ରମଣ କରିବାକୁ ଦୁଇ ଡର୍ଜନରୁ ଅଧିକ ଲୋକ ଧାରୁଆ ଅସ୍ତ୍ର ଧରି ଆସିଥିଲେ । ଏମାନେ ଲକ୍ଷ୍ମଣଙ୍କ ପରିବାରର ଦୁଇ ଝିଅଙ୍କୁ ବଳପୂର୍ବକ ନେବାକୁ ଆସିଥିଲେ । ଏହି ସମୟରେ ଲକ୍ଷ୍ମଣଙ୍କ ତିନି ଜଣ ସଂପର୍କୀୟ ଲଖନ, ମୁକେଶ ଏବଂ ଶ୍ୟାମ୍ ଛଡ଼ାଇବାକୁ ଆସି ଗଭୀର ଭାବରେ ଆହତ ହୋଇଥିଲେ ଏବଂ ଦୁର୍ଭାଗ୍ୟର ବିଷୟ ତିନିଜଣଙ୍କର ମୃତ୍ୟୁ ହୋଇଥିଲା ।
ତେବେ ପୋଲିସକୁ ଲକ୍ଷ୍ମଣ ଜାଜାବର ବୟାନ ଦେଇ କହିଛନ୍ତି ଯେ ପ୍ରାୟ ୧୦ ବର୍ଷ ତଳେ ତାଙ୍କ ଝିଅର ନିର୍ବନ୍ଧ ସାମରୀ ବୋଣ୍ଡା ଗ୍ରାମର ପଞ୍ଚାୟତ ସରପଞ୍ଚ ପ୍ରତିନିଧି କିଶନଲାଲଙ୍କ ପୁଅ ସହ ହୋଇଥିଲା । ସେ ସମୟରେ କିଶନଲାଲ ଅଧ କେଜି ଚାନ୍ଦି ଦେଇଥିଲେ । ଏହି ସମ୍ବନ୍ଧରେ ଉଭୟ ପରିବାରର ସହମତି ହୋଇନଥିଲା ଏବଂ ସେମାନେ ସଂପର୍କ ଛିନ୍ନ କରିବାକୁ ଚାହିଥିଲେ ଫଳରେ ପଞ୍ଚାୟତକୁ ଯିବାକୁ ପଡ଼ିଥିଲା ଏବଂ ପଞ୍ଚାୟତରେ ନିଷ୍ପତ୍ତି ହୋଇଥିଲା ଦେଇଥିବା ଚାନ୍ଦିର ଦୁଇଗୁଣା ଚାନ୍ଦି ଦେଲେ ସମ୍ବନ୍ଧ ଶେଷ ହେବ । ଫଳରେ ଲକ୍ଷ୍ମଣ ୧କେଜି ଚାନ୍ଦି ଦେଇ ସଂପର୍କ ଶେଷ କରିଥିଲେ ।
ଲକ୍ଷ୍ମଣ କହିଛନ୍ତି ଯେ ତାଙ୍କ ସଂପର୍କୀୟ ଲଖନଙ୍କ ଝିଅର ମଧ୍ୟ କିଶନଲାଲଙ୍କ ପୁତୁରା ସହ ହୋଇଥିଲା ସେମାନଙ୍କ ଠାରୁ ମଧ୍ୟ ସମାନ ଢ଼ଙ୍ଗରେ ଦୁଇଗୁଣା ଅଧିକ ଚାନ୍ଦି ଦେଇ ସଂପର୍କ ଛିନ୍ନ ହୋଇଥିଲା । ଏହାପରେ ଏବେ ଆମେ ଆମ ଝିଅମାନଙ୍କର ବିବାହ ଅନ୍ୟତ୍ର କରାଇବାକୁ ନିଷ୍ପତ୍ତି ନେଇଛୁ । ଏହାକୁ ନେଇ କିଶନଲାଲ ଦୁଇ ଝିଅଙ୍କୁ ଉଠାଇ ନେବାକୁ ଧମକ ଦେଇଥିଲେ । ଆଉ ଶେଷରେ ଆଜି ଆକ୍ରମଣ ମଧ୍ୟ କରିଛନ୍ତି ।