fbpx
BSKY SKY
BSKY SKY

ପିପିିଲି ଉପନିର୍ବାଚନ: ଆଜି ସିଲ୍ ଇଭିଏମ୍‌ରୁ ଖୋଲିବ ୧୦ ପ୍ରାର୍ଥୀଙ୍କ ଭାଗ୍ୟ, ସକାଳ ୮ରୁ ଆରମ୍ଭ ହେବ ଭୋଟ୍‌ ଗଣତି

BSKY

ଭୁବନେଶ୍ୱର/ପିିପିଲି,(ଭାସ୍କର ନ୍ୟୁଜ୍‌): ଆଜି ଖୋଲିବ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ। ପିିପିଲି ବାସୀ ପାଇବେ ନୂଆ ବିଧାୟକ।ସେପ୍ଟେମ୍ବର ୩୦ରେ ମତଦାନ ହୋଇଥିବା ବେଳେ ଆଜି ସକାଳ ୮ରୁ ପ୍ରଥମେ ପୋଷ୍ଟାଲ୍‌ ବାଲାଟ୍‌ ଭୋଟ୍‌ ଗଣତି ଆରମ୍ଭ ହେବ। ସାଢେ ୮ଟାରୁ ଇଭିଏମ୍‌ କାଉଣ୍ଟିଂ ଆରମ୍ଭ ହେବ ବୋଲି ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ୍‌ କୁମାର ଲୋହାନୀ ।

ମୋଟ ୩ଟି ହଲ୍‌ରେ ଭୋଟ୍‌ ଗଣତି ହେବ । ଏଥିମଧ୍ୟରୁ ୨ଟି ହଲ୍‌ରେ ଇଭିଏମ୍‌ ଓ ଗୋଟିଏ ହଲ୍‌ରେ ପୋଷ୍ଟାଲ୍‌ ବାଲାଟ୍‌ ଗଣତି କରାଯିବ । ଇଭିଏମ୍‌ ପାଇଁ ଗୋଟିଏ ହଲ୍‌ରେ ୭ଟି ଲେଖାଏଁ ଟେବୁଲ୍‌ ପଡ଼ିଛି । ସେହିପରି ହିସାବରେ ଦୁଇଟି ହଲ୍‌ରେ ୧୪ଟି ଟେବୁଲ୍‌ ପଡ଼ିବ । ମୋଟ ୧୪ଟି ଟେବୁଲରେ ପ୍ରାୟ ୨୪ ରାଉଣ୍ଡ ଭୋଟ୍‌ ଗଣତି ହେବ । ଗଣତି କରିବାକୁ ମୋଟ ୬୨ ଜଣ ସରକାରୀ କର୍ମଚାରୀଙ୍କୁ ନିୟୋଜିତ ହୋଇଛି । ପ୍ରତି ରାଉଣ୍ଡର ଗଣତି ଫଳ ସ୍କ୍ରିନ ଜରିଆରେ ଲୋକଙ୍କୁ ଦେଖାଯିବ । କାଉଣ୍ଟିଂ ସରିବା ପରେ ୫ଟି ଭିଭିପାଟ ଓ ଇଭିଏମ୍‌ ରେଜଲ୍ଟ ମ୍ୟାଚ କରାଯିବ । ଗଣତି ଟେବୁଲ୍‌ ନିକଟରେ ପ୍ରାର୍ଥୀମାନେ ସେମାନଙ୍କ ଏଜେଣ୍ଟ ରଖିପାରିବେ । ପ୍ରତି କାଉଣ୍ଟିଂ ଏଜେଣ୍ଟ ଟିକାର ଡ଼ବଲ୍‌ ଡ଼ୋଜ ନେଇଥିବା ସାର୍ଟିଫିକେଟ୍ ଦେଖାଇବା ପରେ ସେମାନଙ୍କୁ ପାସ୍‌ ଇସ୍ୟୁ କରାଯାଇଛି ।ନିର୍ବାଚନ ପାଇଁ ନିୟୋଜିତ ସମସ୍ତ ଅଧିକାରୀ ଟିକାକରଣକରାଯାଇଛି । ମତଦାନ ପରେ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ୩୪୮ଟି ବୁଥର ସମସ୍ତ ଇଭିଏମ ମେସିନ୍‌ । ପୁଲିଂ ପାର୍ଟିମାନେ ଦାଖଲ କରିଥିବା ଇଭିଏମ୍‌, ଭିଭିପାଟ୍‌ ସହ ନିର୍ବାଚନ ଉପକରଣକୁ ଷ୍ଟ୍ରଙ୍ଗ୍‌ରୁମ୍‌ରେ ସିଲ୍‌ କରାଯାଇଛି । ୧୬ଟି ସିସିଟିଭି ସର୍ଭେଲାନ୍ସ ଜରିଆରେ ଏହାକୁ ରଖାଯାଇଛି । ଏଗୁଡ଼ିକୁ ଏକ କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ଯବାନ ଜଗି ରହିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

ପିପିଲି ଅଞ୍ଚଳରେ ମଧ୍ୟ ପାଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯିବ ବୋଲି ଶ୍ରୀ ଲୋହାନୀ ସୂଚନା ଦେଇଛନ୍ତି । ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ଲୋହାନୀ କହିଛନ୍ତି । ତେବେ ଭୋଟ୍‌ ଗଣତି ସମୟରେ ସମସ୍ତ ପ୍ରକାରକୋଭିଡ୍‌ କଟକଣା ପାଳନ ହେବ ବୋଲି ସିଇଓ ସୂଚନା ଦେଇଛନ୍ତି । ଗଣମାଧ୍ୟମର କର୍ମଚାରୀ କେବଳ କ୍ୟାମେରି ନେଇ ଗଣତି ହଲ ଭିତରକୁ ଯାଇପାରିବେ । ଭୋଟଗଣତିକୁ ସୂଚାର ରୂପେ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇଛି ଏବଂ ଇଭିଏମ୍‌ ଗୁଡ଼ିକୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ଥିବା ବେଳେ ସେମାନଙ୍କ ମଧ୍ୟରୁ ୭୮.୨୫ % ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ । ୧୯୯୫ ମସିହା ପରେ ପିପିଲି ନିର୍ବାଚନ ମଣ୍ଡଳୀରେ ଏହା ସର୍ବାଧିକ ମତଦାନ । ୧୯୯୫ ମସିହାରେ ଏଠାରେ ୮୨.୩% ଭୋଟରସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ । ଏଥର ଉପନିର୍ବାଚନ ପାଇଁ ୩୪୮ଟି ବୁଥ୍‌ କରାଯାଇଥିଲା । ସେଥିରୁ ୨୦୧ଟି ସମ୍ବେଦନଶୀଳ ବୁଥ୍‌ରେ କୌଣସି ପ୍ରକାର ଗଡ଼ବଡ଼କୁ ଏଡ଼ାଇବାକୁ ଅତିରିକ୍ତ ଦୃଢ଼ ବ୍ୟବସ୍ଥା ହୋଇଥିଲା ।

ସୂଚନାଯୋଗ୍ୟ, ପିପିଲି ବିଧାୟକ ଥିବା ପ୍ରଦୀପ ମହାରଥିଙ୍କ ପରଲୋକ ପରେ ଏହି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇଛି । ଦୁଇ ଦୁଇଥର ଏହି ନିର୍ବାଚନ ସ୍ଥଗିତ ହୋଇଥିଲା । ପିପିଲି ଉପନିର୍ବାଚନ ପାଇଁ ପୂର୍ବରୁ ଘୋଷିତ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଓ କରୋନା ସଂକ୍ରମଣ ଯୋଗୁଁ ନିର୍ବାଚନକୁ ଯଥାକ୍ରମେ ୨ଥର ସ୍ଥଗିତ ରଖିଥିଲେ ନିର୍ବାଚନ କମିଶନ୍‌ । ତେବେ ଅନୁଷ୍ଠିତ ହୋଇଥିବା ପିପିଲି ଉପନିର୍ବାଚନ ପାଇଁ ମୋଟ ୧୦ଜଣ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ପକ୍ଷରୁ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି । ଏହି ନିର୍ବାଚନରେ ମୁଖ୍ୟତଃ ଏହି ୩ ମୁଖ୍ୟ ରାଜନୈତିକ ଦଳ ପ୍ରାର୍ଥୀଙ୍କ ମଧ୍ୟରେ ହେବ । ଫଳାଫଳକୁ ନେଇ ସମସ୍ତ ପ୍ରାର୍ଥୀ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି । ଉଭୟ ବିଜେଡି ଏବଂ ବିଜେପି ପ୍ରାର୍ଥୀଙ୍କ ସମର୍ଥକମାନେ ଶନିବାର ସଂଧ୍ୟାରେ ଦୀପ ଜାଳି ଠାକୁରଙ୍କ ଆଶିର୍ବାଦ ଭିକ୍ଷା କରିବା ସହ ଭଜନକୀର୍ତ୍ତନ କରିଛନ୍ତି । ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ଦାଣ୍ଡମୁକୁନ୍ଦପୁର ମନ୍ଦିରରେ ସମୂହ ଦୀପ ଦାନ କରିଛନ୍ତି ମହିଳା ସମର୍ଥକ । ସେହିପରି ବିଜେପି କର୍ମୀମାନେ ମଙ୍ଗଳପୁର ଉତ୍ତରବାଡ ମା କ୍ଷେତ୍ର ପାଳି ମନ୍ଦିର ଭିତରେ ଖୋଳ କୀର୍ତନ ଧରି ଭଜନ କରିଛନ୍ତି । ନିର୍ବାଚନ ଫଳାଫଳ ଆସିବା ଆଗରୁ ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ ସେମାନଙ୍କ ସମର୍ଥକ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି ।

Get real time updates directly on you device, subscribe now.