fbpx

ରାଷ୍ଟ୍ରପତି ନିର୍ବାଚନ: ମତଦାନ ସାବ୍ୟସ୍ତ କଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ (Video)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତବର୍ଷରେ ଚାଲିଛି ରାଷ୍ଟ୍ରପତି ନିର୍ବାଚନ । ପାଖାପାଖି ୪୮୦୦ ସାଂସଦ ଓ ବିଧାୟକଙ୍କୁ ନେଇ ଗଠିତ ଇଲେକ୍ଟ୍ରୋରାଲ କଲେଜ ବାଛିବ ଦେଶର ପ୍ରଥମ ନାଗରିକ । ଶାସକ ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିରୋଧୀ ମହାମେଣ୍ଟ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଯଶୱନ୍ତ ସିହ୍ନା ।

ତେବେ ଆଜି ରାଷ୍ଟ୍ରପତି ନିର୍ବାଚନ ଅବସରରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ବାରାଣାସୀରୁ ସାଂସଦ ହୋଇଥିବା ବେଳେ ସେ ପାର୍ଲାମେଣ୍ଟ ପରିସରରେ ନିଜର ମତଦାନ କରିଛନ୍ତି । ଏହି ଅବସରରେ ମୋଦୀ କହିଛନ୍ତି, ବର୍ତ୍ତମାନର ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ନୂଆ ରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ଦେଶରେ ଆଜି ନିର୍ବାଚନ ଜାରି ରହିଛି । ଆଉ କିଛିଦିନ ପରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ନୂଆ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଦେଶବାସୀଙ୍କୁ ପ୍ରେରଣା ଓ ଦିଗଦର୍ଶନ ପ୍ରଦାନ କରିବେ ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜର ମତଦାନ ସାବ୍ୟନ୍ତ କରିଛନ୍ତି । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ନବୀନ ଭୋଟ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗ୍ୟ ଆଦିତ୍ୟନାଥ, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପରି ଅନେକ ବଡ଼ ବଡ଼ ରାଜନେତା ନିଜ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।

ଭୋଟିଂ ପ୍ରକ୍ରିୟା ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ନିର୍ବାଚନ ସମ୍ପୂର୍ଣ୍ଣ ଭାବେ ମୁକ୍ତ ଓ ନିରପେକ୍ଷ ଭାବେ ଅନୁଷ୍ଠିତ ହେବ । ଏଥିପାଇଁ ସଂସଦ ଭବନ ଓ ପୋଲିଂ ବୁଥମାନଙ୍କରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ରାଜ୍ୟସଭାର ସେକ୍ରେଟାରୀ ଜେନେରାଲ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.