fbpx

ବଢିଲା ରବି ଫସଲର MSP: ଦେଶର ଚାଷୀମାନଙ୍କୁ ଦୀପାବଳି ଉପହାର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସୋମବାର ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଦେଶର ଚାଷୀମାନଙ୍କୁ ୧୬ ହଜାର କୋଟି ଟଙ୍କା ସହାୟତା ଆକାରରେ ପ୍ରଦାନ କରିଥିବାବେଳେ ମଙ୍ଗଳବାର ସେହି ଚାଷୀମାନଙ୍କୁ ଦିପାବଳୀ ଉପହାର ଦେଇଛନ୍ତି । ସରକାର ରବି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ଘୋଷଣା କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ।

ସେ କହିଛନ୍ତି ଯେ, କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ ରବି ଋତୁରେ ଉତ୍ପାଦିତ ହେଉଥିବା ଗହମ, ମସୂର, ଯଅ ଓ ଚଣା ସହ ସମସ୍ତ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଶ୍ରୀ ଠାକୁରଙ୍କ ସୂଚନାନୁଯାୟୀ, ପୂର୍ବରୁ ଗହମ କ୍ୱିଣ୍ଟାଲ ପିଛା ୨୦୧୫ ଟଙ୍କାରେ କିଣାଯାଉଥିବାବେଳେ ଏବେ ସରକାର ଏହା ଉପରେ ୧୧୦ ଟଙ୍କା ବୃଦ୍ଧି କରିଛନ୍ତି । ଅର୍ଥାତ୍ ଗହମ କ୍ୱିଣ୍ଟାଲ ପିଛା ସରକାର ୨,୧୨୫ ଟଙ୍କାରେ କ୍ରୟ କରିବେ । ସେହିପରି ଯଅ କ୍ୱିଣ୍ଟାଲ ପିଛା ୧୦୦ ଟଙ୍କା, ଚଣା କ୍ୱିଣ୍ଟାଲ ପିଛା ୧୦୫ ଟଙ୍କା ଓ ମସୂର ଡାଲିରେ କ୍ୱିଣ୍ଟାଲ ପିଛା ୫୦୦ ଟଙ୍କା ବୃଦ୍ଧି କରାଯାଇଛି । ଏହାସହିତ ରାଇ ଓ ସୋରିଷ କ୍ୱିଣ୍ଟାଲ ପିଛା ୪୦୦ ଟଙ୍କା ବୃଦ୍ଧି କରାଯାଇଥିବାବେଳେ ସୂର୍ୟ୍ୟମୁଖୀ କ୍ୱିଣ୍ଟାଲ ପିଛା ୨୦୯ ଟଙ୍କା ବୃଦ୍ଧି ପାଇଛି । ଉଲ୍ଲେଖଯୋଗ୍ୟ ଯେ, ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କମିଟି ୬ଟି ରବି ଫସଲ ନିମନ୍ତେ ୯% ପର୍ୟ୍ୟନ୍ତ ଏମଏସପି ବୃଦ୍ଧି କରିବା ପାଇଁ ସୁପ।ରିଶ କରିଥିଲେ । ଅନ୍ୟପକ୍ଷରେ କୃଷି ମନ୍ତ୍ରଣାଳୟ ମଧ୍ୟ ଏହିସବୁ ଫସଲ ଉପରେ ନ୍ୟୁନତମ ସହାୟକ ମୂଲ୍ୟ ବୃଦ୍ଧି କରିବା ପାଇଁ ସୁପାରିଶ କରିଥିବାବେଳେ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍ ଏହା ଉପରେ ମୋହର ମାରିଛନ୍ତି ।

ଚାଷୀଙ୍କ ଆୟ ବୃଦ୍ଧି ସହ ସେମାନଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି । ତେବେ ଦେଶର ଚାଷୀମାନେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ବାରମ୍ବାର ଦାବି କରିଆସୁଥିବାବେଳେ କେନ୍ଦ୍ର ସରକାର ଏନେଇ କୌଣସି ଘୋଷଣା କରିନଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ଦେଶର ଚାଷୀମାନଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ଏହି ଏମଏସପିରେ ଯେଉଁ ବୃଦ୍ଧି ଘଟାଉଛନ୍ତି ତାହା ସମୁଦ୍ରକୁ ଶଙ୍ଖେ ବୋଲି କୁହାଯାଉଛି । ଗୋଟିଏ କ୍ୱିଣ୍ଟାଲ ଧାନ ଉତ୍ପାଦନ ପାଇଁ ଯେତିକି ଅର୍ଥ ବ୍ୟୟ କରାଯାଉଛି ଚାଷ ପରେ ଏମଏସପି ବୃଦ୍ଧି ଘଟୁନଥିବାରୁ ତାହା ବିକ୍ରି କରିବାରେ ଚାଷୀ ଘୋର ପ୍ରତିବନ୍ଧକର ସମ୍ମୁଖୀନ ହେଉଛି ।

Get real time updates directly on you device, subscribe now.