fbpx

ଚାଷୀଙ୍କୁ ପ୍ରତିମାସରେ ମିଳିବ ୩୦୦୦ ଟଙ୍କା ପେନ୍ସନ: ଜାଣନ୍ତୁ କ’ଣ ଏହି ଯୋଜନା, କେମିତି କରିବେ ରେଜିଷ୍ଟ୍ରେସନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କୃଷକଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଅନେକ ଯୋଜନା କରିଛନ୍ତି । ପିଏମ କିସାନ ମାନଧନ ଯୋଜନା ମଧ୍ୟ ଏଭଳି ଏକ ଯୋଜନା । ଏହା ବୃଦ୍ଧ ଚାଷୀଙ୍କ ପାଇଁ କରାଯାଇଥିବା ଏକ ପେନ୍ସନ ଯୋଜନା । ଚାଷୀଙ୍କୁ ବୃଦ୍ଧାବସ୍ଥାରେ ଯେପରି ଆର୍ଥିକ ଅସୁବିଧାର ସମ୍ମୁଖୀନ ନହେବାକୁ ପଡ଼ିବ, ତାହାକୁ ଧ୍ୟାନରେ ରଖି ଏହି ଯୋଜନା କରାଯାଇଛି ।

ଏହି ଯୋଜନା ଅନ୍ତର୍ଗତ ଚାଷୀଙ୍କୁ ୬୦ ବର୍ଷ ବୟସ ହେବା ପରେ ପ୍ରତିମାସରେ ୩୦୦୦ ଟଙ୍କା ପେନ୍ସନ ଦିଆଯିବାର ନିୟମ ରହିଛି । ଦେଶର ଛୋଟ ଏବଂ ସୀମାନ୍ତ ଚାଷୀଙ୍କୁ ବୃଦ୍ଧାବସ୍ଥାରେ ପେନ୍ସନ ଦେବା ପାଇଁ ପିଏମ କିସାନ ମାନଧନ ଯୋଜନା ଆରମ୍ଭ କରାଯାଇଛି । ଏହା ଅନୂଯାୟୀ ଚାଷୀଙ୍କୁ ୬୦ ବର୍ଷ ପୂରା ହେବା ପରେ ପ୍ରତି ମାସରେ ୩୦୦୦ ଟଙ୍କା ହିସାବରେ ବାର୍ଷିକ ୩୬,୦୦୦ ଟଙ୍କା ପେନ୍ସନ ଦିଆଯିବ ।

ଏହି ଯୋଜନାର ଲାଭ ନେବା ପାଇଁ ଚାଷୀଙ୍କୁ ଏଥିରେ ରେଜିଷ୍ଟ୍ରେସନ କରିବାକୁ ହେବ । ୧୮ ରୁ ୪୦ ବର୍ଷର ଚାଷୀ ଏଥିରେ ରେଜିଷ୍ଟ୍ରେସନ କରିପାରିବେ । ରେଜିଷ୍ଟ୍ରେସନ ପରେ ଚାଷୀଙ୍କୁ ବୟସ ଅନୂଯାୟୀ ପ୍ରତିମାସରେ କିଛି ପ୍ରିମିୟମ ଭରିବାକୁ ହେବ । ଏହି ଅର୍ଥ ଚାଷୀଙ୍କ ବୟସ ହିସାବରେ ନିର୍ଦ୍ଧାରିତ ହୋଇଥବାରୁ ଏଥିରେ ଚାଷୀଙ୍କୁ ପ୍ରତିମାସରେ ୫୫ ଟଙ୍କାରୁ ନେଇ ୨୦୦ ଟଙ୍କା ପର୍ଯ୍ୟନ୍ତ ଜମା କରିବାକୁ ହୋଇଥାଏ ।

ପିଏମ ମାନଧନ ଯୋଜନା ପାଇଁ ରେଜିଷ୍ଟ୍ରେସନ କରିବା ପାଇଁ ଆପଣଙ୍କୁ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯିବାକୁ ହେବ । ଏଠାରେ ଆପଣଙ୍କୁ ଆପଣଙ୍କର ବାର୍ଷିକ ଆୟ ଏବଂ ନିଜ ଜମି ସହ ଜଡ଼ିତ ସବୁ ଡକ୍ୟୁମେଣ୍ଟ ଜମା କରିବାକୁ ହେବ । ଏହା ସହ ଆପଣଙ୍କ ଯେଉଁ ବ୍ୟାଙ୍କ୍ ଆକାଉଣ୍ଟରେ ଟଙ୍କା ଦରକାର ତାହାର ତଥ୍ୟ ଦେବାକୁ ହବ । ଏହି ସବୁ ତଥ୍ୟ ଦେବା ପରେ ଆପଣଙ୍କୁ ଆପ୍ଲିକେସନ ଫର୍ମ ମିଳିବ । ଯାହାକୁ ଆପଣ ନିଜ ଆଧାର କାର୍ଡ ସହ ଲିଙ୍କ୍ କରିବାକୁ ହେବ । ଏହି ପ୍ରକ୍ରିୟା ପୂରା ହେବା ପରେ ଆପଣଙ୍କୁ ପେନ୍ସନ ନମ୍ବର ଏବଂ ପେନ୍ସନ କାର୍ଡ ଦିଆଯିବ ।

ଅନଲାଇନ maandhan.in ୱେବସାଇଟ୍ କୁ ଯାଇ ଆପଣ ଅନଲାଇନ ମାଧ୍ୟମରେ କରିପାରିବେ । ତେବେ ଆପଣ ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇଁ ଆପଣ ଟୋଲ ଫି ନମ୍ବର ୧୮୦୦-୨୬୭-୨୮୮ ରେ ଯୋଗାଯୋଗ ମଧ୍ୟ କରିପାରିବେ ।

Get real time updates directly on you device, subscribe now.