fbpx

ରାଜସ୍ଥାନର ‘ଜାଲିଆନାଓ୍ଵାଲ ବାଗ’ରେ ଏକାଠି ହେବେ ଗେହଲଟ-ମୋଦୀ, ଦୁହିଁଙ୍କ ଭିତରେ କଣ ହେବ ଆଲୋଚନା ?

ଉଦୟପୁର: ରାଜସ୍ଥାନର ବାଂଶଓ୍ଵାଡା ଜିଲ୍ଲାର ମାନଗଢ ଧାମରେ ନଭେମ୍ବର ୧ରେ ଏକାଠି ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍। ଦୁଇ ନେତାଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ। ଏହି ଦୁଲର୍ଭ ଦୃଶ୍ୟ ଏଥିପାଇଁ ଖାସ୍ ରହିବ କାରଣ ଦେଶରେ ଘୃଣା ମାହୋଲକୁ ନେଇ ଗେହଲଟ୍ ଲଗାତାର ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ଆସିଛନ୍ତି। ପ୍ରଶ୍ନ ଉଠୁଛି ଯେ, ଆଦିବାସୀ ଅଞ୍ଚଳର ଜାଲିଆନଓ୍ଵାଲବାଗ କୁହାଯାଉଥିବା ମାନଗଢ ଧାମରେ ଉଭୟଙ୍କ ମଧ୍ୟରେ କେଉଁ ପ୍ରସଙ୍ଗ ନେଇ ଆଲୋଚନା ହେବ। କଣ ପ୍ରଧାନମନ୍ତ୍ରୀ ମାନଗଢ ଧାମକୁ ରାଷ୍ଟ୍ରୀୟ ସ୍ମାରକ ଘୋଷଣା କରିବେ ? ଯାହାକୁ ଗେହଲଟ୍ ଦୀର୍ଘ ସମୟ ଧରି ଦାବି କରି ଆସୁଛନ୍ତି।

ଖୋଦ୍ ମୋଦୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ କହିଥିଲେ ଯେ, ମାନଗଢକୁ ଇତିହାସରେ ସେହି ମାନ୍ୟତା ମିଳିବାର ଥିଲା, ଯାହା ମିଳିନାହିଁ। ଦକ୍ଷିଣ ରାଜସ୍ଥାନର ଜନଜାତି ବହୁଳ ବାଗଡ ଅଞ୍ଚଳ ସ୍ଵାଧୀନ ଇତିହାସର ଏମିତି ଏକ ଘଟଣାର ସାକ୍ଷୀ, ଯେଉଁଠି ଜାଲିଆନଓ୍ଵାଲବାଗ ପରି ଇଂରେଜମାନେ ଆଦିବାସୀଙ୍କ ନରସଂହାର କରିଥିଲେ। ମହାନ ସନ୍ଥ ଗୋବିନ୍ଦ ଗୁରୁଙ୍କ ନେତୃତ୍ଵରେ ୧୫୦୦ ଆଦିବାସୀ ଗୁରୁଭକ୍ତ ନିଜ ପ୍ରାଣବଳି ଦେଇଥିଲେ।

ଆଦିବାସୀ ସମୁଦାୟର ଏହି ବଳିଦାନ ସ୍ଵାଧୀନତା ଆନ୍ଦୋଳନରେ ଲିପିବଦ୍ଧ ଜାଲିଆନାଓ୍ଵାଲ ବାଗର ବଳିଦାନଠୁ ବି ବଡ ଥିଲା। ମାତ୍ର ଇତିହାସରେ ଏହି ଘଟଣାକୁ ଉଚିତ୍ ମାନ୍ୟତା ଦିଆଯାଇ ନାହିଁ। ବାଂଶଓ୍ଵାଡା ଜିଲ୍ଲାରେ ଆନନ୍ଦପୁରୀଠୁ କିଛି ଦୂରରେ ଅବସ୍ଥିତ ମାନଗଢ ଧାମ। ପ୍ରାୟ ୧୦୦ ବର୍ଷ ପୂର୍ବେ ୧୯୧୩ ନଭେମ୍ବର ୧୭ରେ ମାର୍ଗଶୀର ପୂର୍ଣ୍ଣିମାରେ ଗୁରୁଙ୍କ ଜନ୍ମଦିନ ପାଳନ ପାଇଁ ଏକତ୍ର ହୋଇଥିଲେ ହଜାର ହଜାର ଗୁରୁଭକ୍ତ। ଆଉ ଏହି ସମୟରେ ଇଂରେଜମାନେ ଗୁରୁଭକ୍ତଙ୍କ ନରସଂହାର କରିଥିଲେ।

Get real time updates directly on you device, subscribe now.