fbpx

ମନ୍ଦିରର ଦାନବାକ୍ସରୁ ବାହାରିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୧ ଟଙ୍କା ଭର୍ତ୍ତି ଲଫାଫା ! ଲୋକ କହିଲେ ଆମ ପ୍ରଧାନମନ୍ତ୍ରୀ କ’ଣ ଏତେ କଞ୍ଜୁସ

ଜୟପୁର: ଶୀର୍ଷକଟି ପଢି ଆପଣଙ୍କ ମନ ମଧ୍ୟରେ ଅନେକ ପ୍ରଶ୍ନ ନିଶ୍ଚୟ ଉଙ୍କି ମାରିବ । କିନ୍ତୁ ଏପରି ଲେଖିବା ପଛରେ କିଛି ଏକ କାରଣ ରହିଛି । ଏବେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଭିଲୱାଡା ମନ୍ଦିରରେ ୨୧ ଟଙ୍କା ଦାନ କରିଥିବାର ଏକ ଲଫାଫା ମନ୍ଦିରର ପୂଜାରୀ ଖୋଲୁଛନ୍ତି । ଏକ ଧଳା ଲଫାଫା ଦେଖାଇ ମନ୍ଦିରର ପୂଜାରୀ ଯେପରି ଦାବୀ କରୁଛନ୍ତି ତାହା ଉପରେ ସମସ୍ତେ ବିଶ୍ୱାସ ବି କରିଛନ୍ତି । କିନ୍ତୁ ଘଟଣାର ଅନୁସନ୍ଧାନ ପରେ ସତ୍ୟତା ଆଉ କିଛି ବୋଲି ଜଣାପଡିଛି ।

ଗତ ୨ ଦିନ ଧରି ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ମନ୍ଦିରର ପୂଜାରୀ କିଛି ଲୋକଙ୍କ ଉପସ୍ଥିତିରେ ଦାନ ପାତ୍ର ଖୋଲୁଛନ୍ତି । ଏଥିରୁ ୩ ଗୋଟି ଲଫାଫା ବାହାରୁଛି । ପୂଜାରୀ କହୁଛନ୍ତି ଏକ ଧଳା ରଙ୍ଗର ଲଫାଫା ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ବର୍ଷ ଜାନୁୟାରୀରେ ଦାନବାକ୍ସରେ ପକାଇଥିଲେ । ଏହାକୁ ଖୋଲିିବା ପରେ ସେଥିରୁ ୨୧ ଟଙ୍କା ବାହାରୁଛି । କିନ୍ତୁ ଲଫାଫାରେ ଦାନ କରିଥିବା ଲୋକର ନାମ ଲେଖାଯାଇନାହିଁ । ପୂଜାରୀ ମିଡିଆ ସାମ୍ନାରେ ସେହି ୩ ଗୋଟି ଲଫାଫାକୁ ଖୋଲୁଛନ୍ତି । ଗୋଟିଏରୁ ୧୨୧, ଅନ୍ୟଟିରୁ ୨୧୦୦ ଓ ତୃତୀୟରୁ ୨୧ ଟଙ୍କା ବାହାରୁଛି ।

ସୋସିଆଲ ମିଡିଆରେ ଏହି ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । କିଛି ଲୋକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଞ୍ଜୁସ ବୋଲି କହିବା ସହ ଆଉ କିଛି ଲୋକ କହିଛନ୍ତି ଏହା ଶ୍ରଦ୍ଧାର ବିଷୟ । ବ୍ୟକ୍ତି ନିଜ ଇଚ୍ଛା ଅନୁସାରେ କିଛି ବି ଦାନ କରିପାରେ ।

କିନ୍ତୁ ଯେତେବେଳେ ଏହି ମାମଲାର ଯାଞ୍ଚ କରାଯାଇଛି ସେତେବେଳେ ସତ୍ୟତା ଆଉ କିଛି ଜଣାପଡିଛି । ଏହା ସତ ଯେ, ୨୮ ଜାନୁୟାରୀରେ ପ୍ରଧାନମନ୍ତ୍ରୀ ମୋଦୀ ଭିଲୱାଡା ସ୍ଥିତ ମନ୍ଦିର ଯାଇଥିଲେ । ଭଗବାନ ଦେବନାରାୟଣଙ୍କ ୧୧୧୧ ଅବତରଣ ମହୋତ୍ସବରେ ଯୋଗ ଦେବା ପାଇଁ ମୋଦୀ ମନ୍ଦିର ଯାଇଥିଲେ । ଏଠାରେ ପୂଜାର୍ଚ୍ଚନା ପରେ ସେ ଜନସଭା କରିଥିଲେ । ଇଣ୍ଟନେଟରେ ଉପଲବ୍ଧ ଏହି ସମୟର ଭିଡିଓ ଦେଖିବା ପରେ ଏହା ଜଣାପଡୁଛି ଯେ, ପ୍ରଧାନମନ୍ତ୍ରୀ ଦାନବାକ୍ସରେ କିଛି ନୋଟ୍ ପକାଉଛନ୍ତି ଯାହା ବିନା ଲଫାଫାରେ ହିଁ ସେ ପକାଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପଛରେ ସେହି ପୂଜାରୀ ଛିଡା ହୋଇଥିବାର ନଜର ଆସୁଛି ଯିଏ ଏବେ ଧଳା ଲଫାଫା କଥା ଉଠାଉଛନ୍ତି ।

Get real time updates directly on you device, subscribe now.