ପ୍ରଧାନମନ୍ତ୍ରୀ କମଲା ବିସେସରଙ୍କୁ ମହାକୁମ୍ଭର ପବିତ୍ର ଜଳ ଦେଲେ ପିଏମ ମୋଦୀ, କହିଲେ-ସେ ବିହାରର ଝିଅ

କମଲା ବିସେସରଙ୍କୁ ମହାକୁମ୍ଭ ଏବଂ ସରୟୁ ନଦୀର ଜଳ ଦେଲେ ପିଏମ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ତ୍ରିନିଦାଦ ଏବଂ ଟୋବାଗୋର ଯାତ୍ରା ସମୟରେ ସେଠାରେ ପ୍ରଧାନମନ୍ତ୍ରୀ କମଲା ପ୍ରସାଦ-ବିସେସରଙ୍କୁ ମହାକୁମ୍ଭର ସଂଗମ ଏବଂ ସରୟୁ ନଦୀର ପବିତ୍ର ଜଳ ଦେଇଛନ୍ତି।

ଏଥିସହ ସେ ଶ୍ରୀ ରାମ ମନ୍ଦିରର ପ୍ରତିକୃତି ପ୍ରଦାନ କରିଛନ୍ତି। ପିଏମ ମୋଦୀ ଭାରତୀୟ ସମୁଦାୟକୁ ସମ୍ବୋଧିତ କରି କହିଛନ୍ତି ଯେ, ଆପଣ ସମସ୍ତେ ଜାଣିଥିବେ ଯେ, ଚଳିତ ବର୍ଷ ଦୁନିଆର ସବୁଠୁ ବଡ଼ ଅଧ୍ୟାତ୍ମିକ ସମାଗମ ମହାକୁମ୍ଭରେ ହୋଇଥିଲା।

ସେ ଆହୁରି କହିଛନ୍ତି ଯେ, ମୋତେ ମହାକୁମ୍ଭର ଜଳ ନିଜ ସହ ଆଣିବାର ସୌଭାଗ୍ୟ ପ୍ରାପ୍ତ ହେଲା। ମୁଁ କମଲା ଜୀଙ୍କୁ ଅନୁରୋଧ କରିବି ଯେ, ସେ ସରୟୁ ନଦୀ ଏବଂ ମହାକୁମ୍ଭର ପବିତ୍ର ଜଳ ଏଠାରେ ଥିବା ଗଙ୍ଗା ଧାରାରେ ଅର୍ପଣ କରିବେ।

ପ୍ରଧାନମନ୍ତ୍ରୀ କମଲା ବିହାରର ଝିଅ: ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ପିଏମ କମଲାଙ୍କ ପୂର୍ବପୁରୁଷମାନେ ବିହାରର ବକ୍ସରରେ ରହୁଥିଲେ। କମଲା ନିଜେ ସେଠାକୁ ଯାଇଛନ୍ତି ମଧ୍ୟ। ଲୋକେ ତାଙ୍କୁ ବିହାରର ଝିଅ ବୋଲି କୁହନ୍ତି।

ଏଠାରେ ଥିବା ଅନେକ ଲୋକଙ୍କ ପୂର୍ବପୁରୁଷ ବିହାରର ଅଟନ୍ତି। ବିହାରର ଐତିହ୍ୟ କେବଳ ଭାରତ ପାଇଁ ନୁହେଁ ବରଂ ବିଶ୍ୱ ପାଇଁ ଗର୍ବର ବିଷୟ। ଗଣତନ୍ତ୍ର ହେଉ, ରାଜନୀତି ହେଉ, କୂଟନୀତି ହେଉ କିମ୍ବା ଉଚ୍ଚଶିକ୍ଷା ହେଉ, ବିହାର ଶହ ଶହ ବର୍ଷ ପୂର୍ବରୁ ଏପରି ଅନେକ ବିଷୟରେ ବିଶ୍ୱକୁ ଏକ ନୂତନ ଦିଗଦର୍ଶନ ଦେଇଥିଲା। ମୁଁ ନିଶ୍ଚିତ ଯେ, ଏକବିଂଶ ଶତାବ୍ଦୀର ବିଶ୍ୱ ପାଇଁ ମଧ୍ୟ ବିହାର ଭୂମିରୁ ନୂତନ ପ୍ରେରଣା ଏବଂ ନୂତନ ସୁଯୋଗ ସୃଷ୍ଟି ହେବ।