fbpx

ବିମାନ ବନ୍ଦର ପରି ହେବ ଗାନ୍ଧୀନଗର ରେଳଷ୍ଟେସନ: ମୋଦୀଙ୍କ ବଡ ଘୋଷଣା

ଗାନ୍ଧୀନଗର: ବିମାନ ବନ୍ଦର ପରି ହେବ ରେଳ ଷ୍ଟେସନ୍ । ଅବିଶ୍ୱାସ ହେଲେ ବି ସତ, ଗୁଜରାଟର ଗାନ୍ଧୀନଗରରେ ଏହିଭଳି ଏକ ରେଳ ଷ୍ଟେସନ ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶୁକ୍ରବାର ଏହି ବଡ ଘୋଷଣା କରିବା ସହିତ ମୋଦୀ ଦୁଇଟି ନୂତନ ରେଳ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ଦେଶର ଏହା ପ୍ରଥମ ରେଳ ପ୍ରକଳ୍ପ ହେବ ଯାହା ଦେଖିବାକୁ ବିମାନ ବନ୍ଦର ପରି ହେବ । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଦୁଇଟି ନୂତନ ଟ୍ରେନ ଚଳାଚଳ ସମ୍ପର୍କରେ ମଧ୍ୟ ଘୋଷଣା କରିଛନ୍ତି । ଗାନ୍ଧୀନଗର କ୍ୟାପିଟାଲ-ବାରଣାସୀ ସୁପରଫାଷ୍ଟ ଏକ୍ସପ୍ରେସ ସହିତ ଗାନ୍ଧୀନଗର ଓ ଭାରେଥା ମଧ୍ୟରେ ଏକ ମେମୁ ଟ୍ରେନକୁ ପତାକା ଦେଖାଇଥିଲେ ମୋଦୀ ।

ଏହା ବ୍ୟତିତ ଗାନ୍ଧୀନଗର ରେଳଷ୍ଟେସନ ଉପରେ ନିର୍ମାଣ କରାଯାଇଥିବା ପଞ୍ଚତାରକା ହୋଟେଲକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ନିଜ ଅଞ୍ଚଳ ମେହସାନା ଅନ୍ତର୍ଗତ ଭାଦନଗର ଷ୍ଟେସନର ଉନ୍ନତିକରଣ ପ୍ରକଳ୍ପକୁ ମୋଦି ଉଦ୍ଘାଟନ କରିଥିଲେ । ଭାଦନଗର ହେଉଛି ସେହି ଷ୍ଟେସନ ଯେଉଁଠି ଦିନେ ମୋଦୀ ଚା ବିକୁଥିଲେ । ଏହି କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ଉପସ୍ଥିତ ରହିଥିଲେ । ଆଜିର ଦିନକୁ ବିଂଶ ଶତାବ୍ଦୀର ଯୁବ ଭାରତ ପାଇଁ ଉଲ୍ଲେଖନୀୟ ଦିନ ଭାବରେ ଉଲ୍ଲେଖ କରିଥିଲେ ମୋଦୀ । ଆଧୁନିକ ଭାରତର ନିର୍ମାଣ ପାଇଁ ଏହା ସର୍ବଶ୍ରେଷ୍ଠ ମୁହୂର୍ତ୍ତ ବୋଲି ସାଇନ୍ସ ସିଟିର ଆକ୍ୱାଟିକ୍ ଗ୍ୟାଲେରୀ ଉଦ୍ଘାଟନ ଅବସରରେ ମୋଦୀ ଉଲ୍ଲେଖ କରିଥିଲେ । ବିଶ୍ୱର ସମସ୍ତ ପ୍ରାନ୍ତର ସାମୁଦ୍ରିକ ବିବିଧତାକୁ ଗୋଟିଏ ଛାତ ତଳେ ପ୍ରଦାନ କରୁଥିବା ଏହି ଗ୍ୟାଲେରୀ କେବଳ ଭାରତର ନୁହେଁ ବରଂ ଏସିଆର ସର୍ବଶ୍ରେଷ୍ଠ ଆକ୍ୱାରିୟମ ବୋଲି ମୋଦୀ କହିଥିଲେ ।

ନୂତନ ଭାବରେ ନିର୍ମିତ ଗାନ୍ଧୀନଗର ଷ୍ଟେସନ ବିକଶିତ ବୈଷୟିକ କୌଶଳର ଉପଯୁକ୍ତ ଉପଯୋଗ । ଏହା ଦେଶରେ ନୂତନ ନିଯୁକ୍ତି ସୃଷ୍ଟି କରିବା ସହିତ ଦେଶକ୍ୁ ଆଗକୁ ବଢିବାରେ ସହାୟକ ହୋଇଥାଏ । ସ୍ୱଚ୍ଛତା ଏବଂ ଅନ୍ୟାନ୍ୟ ଗୁଣବତ୍ତାରେ ଭାରତୀୟ ରେଳବାଇ ଆଗକୁ ବଢୁଛି ବୋଲି ମୋଦୀ କହିଥିଲେ । ଏହା ସହିତ ଗୁଜରାଟର କୋଭିଡ ମୁକାବିଲାକୁ ମଧ୍ୟ ସେ ପ୍ରଶଂସା କରିଥିଲେ ।

Get real time updates directly on you device, subscribe now.