fbpx

ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ ନିଜ ସମ୍ବୋଧନରେ କଣ କହିଲେ ପିଏମ

ନୂଆଦିଲ୍ଲୀ : ୧୩ତମ ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୨୧ରେ ପାଞ୍ଚଟି ଦେଶର ସମୂହ ବ୍ରିକ୍ସର ବାର୍ଷିକ ସମ୍ମିଳନୀର ଅଧ୍ୟକ୍ଷତା କରୁଛି ଭାରତ । ବ୍ରିକ୍ସରେ ଅଛନ୍ତି ବ୍ରାଜିଲ, ରୁଷ, ଚୀନ, ଭାରତ ଓ ଦକ୍ଷିଣ ଆଫ୍ରିକା । ଉଲ୍ଲେଖନୀୟ ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱିତୀୟ ଥର ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷତା କରୁଛନ୍ତି ।

ପ୍ରଧାନମନ୍ତ୍ରୀ ବୈଠକରେ କହିଛନ୍ତି, ନିକଟରେ ବ୍ରିକ୍ସ ଡିଜିଟାଲ ହେଲଥ ସମ୍ମିଳନୀର ଆୟୋଜନ ହୋଇଥିଲା । ଉନ୍ନତ ଜ୍ଞାନ କୌଶଳ ଜରିଆରେ ସ୍ୱାସ୍ଥ୍ୟ ସେବା ଏବଂ ଭିତ୍ତିଭୂମି ସୁଦୃଢ ପାଇଁ ଏହା ଏକ ଅଭିନବ ପଦକ୍ଷେପ । ନଭେମ୍ବର ମାସରେ ଆମର ଜଳ ସମ୍ବଳ ମନ୍ତ୍ରୀ ବ୍ରିକ୍ସ ମଞ୍ଚରେ ପ୍ରଥମ ଥର ଭେଟିବେ । ମୋଦୀ କହିଛନ୍ତି, ପ୍ରଥମ ଥର ବ୍ରିକ୍ସ ବହୁମୂଖୀ ପ୍ରଣାଳୀର ମଜବୁତ ଏବଂ ସୁଧାର ପାଇଁ ଏକ ମିଳିତ ପଦକ୍ଷେପ ନେଇଛନ୍ତି । ଏଥିସହ ଆମେ ବ୍ରିକ୍ସ କାଉଣ୍ଟର ଟେରୋରିଜିମ ଆକ୍ସନ ପ୍ଲାନ ଅର୍ଥାତ ଆତଙ୍କ ନିରୋଧୀ ଆକ୍ସନ ପ୍ଲାନ ମଧ୍ୟ ଲଞ୍ଚ କରିଛୁ । ଗତ ଦେଢ ଦଶନ୍ଧିରେ ବ୍ରିକ୍ସ ଅନେକ ଉପଲବ୍ଧି ହାସଲ କରିଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଆମେ ବିଶ୍ୱର ନୂତନ ଉଦିତ ଅର୍ଥବ୍ୟବସ୍ଥା ପାଇଁ ଏକ ପ୍ରଭାବଶାଳୀ ସ୍ୱର । ବିକାଶଶୀଳ ଦେଶର ପ୍ରାଥମିକତା ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ମଧ୍ୟ ଏହି ମଞ୍ଚ ଉପଯୋଗୀ ରହିଛି । ଆମକୁ ଏହା ସୁନିଶ୍ଚିତ କରିବାକୁ ପଡିବ ଯେ, ବ୍ରିକ୍ସ ଆଗାମୀ ୧୫ ବର୍ଷରେ ଆହୁରି ପରିଣାମଦାୟୀ ହେଉ ।

ଏହି ବୈଠକରେ ବ୍ରାଜିଲର ରାଷ୍ଟ୍ରପତି ଜାଇଲ ବୋଲସୋନାରୋ, ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗ ଏବଂ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସ ଉପସ୍ଥିତ ଥିଲେ । ଭର୍ଚୁଆଲ ମାଧ୍ୟମରେ ହେଉଥିବା ଏହି ବୈଠକରେ ଆଫଗାନିସ୍ତାନର ସଦ୍ୟତମ ସ୍ଥିତି ଉପରେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି ।

Get real time updates directly on you device, subscribe now.