ବିଜୟ ଦିବସରେ ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପିଏମ ମୋଦୀ, ରକ୍ଷା ମନ୍ତ୍ରୀ କହିଲେ- ‘ବଳିଦାନ ଏବଂ ସେବାକୁ କେବେ ଭୁଲିବନି ଭାରତ’

ନୂଆଦିଲ୍ଲୀ: ଆଜି ସାରା ଦେଶ ୧୯୭୧ର ଯୁଦ୍ଧରେ ମିଳିଥିବା ବିଜୟକୁ ମନେପକାଇ ବିଜୟ ଦିବସ ପାଳନ କରୁଛି। ୧୯୭୧ର ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନୀ ସେନାଙ୍କୁ ସରେଣ୍ଡର କରିଥିଲା। ଏଥିସହ ପୂର୍ବ ପାକିସ୍ତାନକୁ ପାକିସ୍ତାନୀ ନିଷ୍ଠୁରତାଠାରୁ ମୁକ୍ତି ଦେବା ସହ ଆଜିର ବାଂଲାଦେଶକୁ ସ୍ୱାଧୀନତା ପ୍ରଦାନ କରିଥିଲା। ଏହି ସମୟରେ ଭାରତୀୟ ସେନା ୯୩୦୦୦ ପାକିସ୍ତାନୀ ସୈନିକଙ୍କୁ ସରେଣ୍ଡର କରାଇଥିଲା, ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବି ସବୁଠୁ ବଡ଼ ସଂଖ୍ୟା ଥିଲା। ଏନେଇ ଆଜି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯୭୧ ଯୁଦ୍ଧରେ ସାମିଲ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ଏଥିସହ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଯବାନଙ୍କୁ ସଲାମ କରିଛନ୍ତି।

ପିଏମ ମୋଦୀ ଏକ୍ସରେ ଲେଖିଛନ୍ତି ଯେ, ଆଜି ବିଜୟ ଦିବସରେ ଆମେ ସେହି ବାହାଦୂର ସୈନିକଙ୍କ ସାହସ ଏବଂ ବଳିଦାନର ସମ୍ମାନ କରୁଛୁ, ଯେଉଁମାନେ ୧୯୭୧ରେ ଭାରତର ଐତିହାସିକ ବିଜୟରେ ଯୋଗଦାନ କରିଥିଲେ। ତାଙ୍କର ନିଃସ୍ୱାର୍ଥପର ସମର୍ପଣ ଏବଂ ଅତୁଟ ସଂକଳ୍ପ ଆମ ଦେଶର ରକ୍ଷା କରିଛନ୍ତି ଏବଂ ଆମ୍ଭମାନଙ୍କୁ ଗର୍ବିତ କରିଛନ୍ତି। ଏହି ଦିନ ସେମାନଙ୍କର ଅସାଧାରଣ ବୀରତ୍ୱକୁ ସଲାମ। ସେମାନଙ୍କର ବଳିଦାନ ସର୍ବଦା ଯୁବ ପିଢିମାନଙ୍କୁ ପ୍ରେରିତ କରିବ।

ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏହି ଦିନକୁ ମନେପକାଇ ଟ୍ୱିଟ୍ କରିଛନ୍ତି ଯେ, ଆଜି ବିଜୟ ଦିବସର ଖାସ ଅବସରରେ ଦେଶ ଭାରତର ସଶସ୍ତ୍ର ବାହିନୀର ବୀରତ୍ୱ ଏବଂ ବଳିଦାନକୁ ସଲାମ କରୁଛି। ତାଙ୍କର ଅତୁଟ ସାହସ ଏବଂ ଦେଶଭକ୍ତି ସୁନିଶ୍ଚିତ କରିଛି ଯେ, ଆମ ଦେଶ ସୁରକ୍ଷିତ ରହିବ। ଭାରତ ସେମାନଙ୍କର ବଳିଦାନ ଏବଂ ସେବାକୁ କେବେ ବି ଭୁଲିବ ନାହିଁ।