fbpx

(video)ଦକ୍ଷିଣ ଭାରତୀୟ ଲୁଙ୍ଗି ପିନ୍ଧି ପ୍ରଧାନମନ୍ତ୍ରୀ ମୋଦୀ ପୋଙ୍ଗଲ ଉତ୍ସବରେ ନେଲେ ଭାଗ, ସମସ୍ତଙ୍କୁ ଜଣାଇଲେ ପୋଙ୍ଗଲର ଶୁଭେଚ୍ଛା

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଭାରତୀୟ ଲୁଙ୍ଗିରେ ନଜର ଆସିଛନ୍ତି । ପୋଙ୍ଗଲ ଉତ୍ସବ ଉପଲକ୍ଷେ ଗତ ବୁଧବାର ଦିଲ୍ଲୀସ୍ଥିତ ରାଷ୍ଟ୍ରମନ୍ତ୍ରୀ ମୁରୁଗାନଙ୍କ ବାସଭବନରେ ସେ ଏହି ବେଶରେ ନଜର ଆସିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ସମୟର ଭିଡିଓ ଏବେ ଇଣ୍ଟରନେଟ୍‌ରେ ଭାଇରାଲ୍ ହେଉଛି । ଭିଡିଓରେ ଦେଖିବାକୁ ମିଳୁଛି କି ପ୍ରଧାନମନ୍ତ୍ରୀ ମୋଦୀ ଏକ ଧଳା ଲୁଙ୍ଗି ଓ କଳା କୋଟ୍ ପିନ୍ଧିଛନ୍ତି । ଏହା ସହିତ ସେ ବାମ କାନ୍ଧରେ ଏକ ସାଲ୍ ପକାଇଛନ୍ତି । ଏହି ବେଶ ଭୂଷାରେ ସେ ପୋଙ୍ଗଲର ସମସ୍ତ ରୀତିନୀତି ପାଳନ କରୁଛନ୍ତି ।

ମନ୍ତ୍ରୀ ମୁରୁଗାନଙ୍କ ବାସଭବନରେ ଏହି ସମୟରେ ତାଙ୍କ ସହ ପୁଡୁଚେରୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଓ ତେଲେଙ୍ଗାନା ଗଭର୍ଣ୍ଣର ସୌନ୍ଦରରାଜନ ମଧ୍ୟ ଉପସ୍ଥିତ ଅଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି କି ପ୍ରଧାନମନ୍ତ୍ରୀ ଏକ ପାତ୍ରରେ କିଛି ରଖୁଛନ୍ତି ଯାହା ରନ୍ଧା ହେବା ଲାଗି ନିଆଁ ଉପରେ ଥୁଆ ହୋଇଛି । ଏହାପରେ ସେ ମଣ୍ଡପ ଭିତରେ ଛିଡାହୋଇଥିବା ଏକ ଗାଈ ନିକଟକୁ ଯାଉଛନ୍ତି । ମୋଦୀ ଗାଈ ବେକରେ ଫୁଲମାଳ ପକାଇବା ସହ ତାକୁ କିଛି ଖାଇବାକୁ ଦେଉଛନ୍ତି । ଏହାପରେ ସେ ହାପି ପୋଙ୍ଗଲ କହି ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ କି ପୋଙ୍ଗଲ ଏପରି ଏକ ପର୍ବ ଯାହା ତାମିଲ ସଂପ୍ରଦାୟ ଦ୍ୱାରା ପାଳନ କରାଯାଇଥାଏ । ଏହା ଏକ ଫସଲ ଅମଳ ଭିତ୍ତିକ ପର୍ବ । ସୂର୍ଯ୍ୟ ଓ ପ୍ରକୃତିମାତାଙ୍କ ପ୍ରତି ନିଜର କୃତଜ୍ଞତା ପରିପ୍ରକାଶ ପାଇଁ ଏହି ପର୍ବ ପାଳନ କରାଯାଇଥାଏ । ଏହି ପର୍ବ ୪ ଦିନ ପର୍ଯ୍ୟନ୍ତ ପାଳନ କରାଯାଇଥାଏ ଓ ଏହା ତାମିଲ ମାସ ‘ଥାଇ’ ର ଆରମ୍ଭ ସୂଚାଇଥାଏ । ଏହି ମାସ ତାମିଲ ମାନଙ୍କ ଲାଗି ବହୁତ ପବିତ୍ର ହୋଇଥାଏ । ତେବେ ପର୍ବ ପୋଙ୍ଗଲର ନାମ ଏଠାରେ ପ୍ରସ୍ତୁତ କରାଯାଉଥିବା ଏକ ସ୍ୱତନ୍ତ୍ର ପ୍ରକାର ଖାଦ୍ୟରୁ ଆସିଛି ଯାହା ଏଠାରେ ଏହି ସମୟରେ ଖିଆଯାଏ ।

Get real time updates directly on you device, subscribe now.