ୟୁକ୍ରେନ ସଙ୍କଟ ମଧ୍ୟରେ ଜର୍ମାନୀ ଏବଂ ଫ୍ରାନ୍ସ ଗସ୍ତ କରିବେ ପିଏମ ମୋଦୀ, ଚଳିତ ବର୍ଷର ପ୍ରଥମ ବିଦେଶ ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨ରୁ ୪ ତାରିଖ ମଧ୍ୟରେ ଫ୍ରାନ୍ସ, ଜର୍ମାନୀ ଏବଂ ଡେନମାର୍କ ଗସ୍ତରେ ଯିବେ। ଚଳିତ ବର୍ଷ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବିଦେଶ ଗସ୍ତ। ୟୁକ୍ରେନରେ ଜାରି ସଂଘର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବିଦେଶ ନୀତି ଦୃଷ୍ଟିରୁ ବେଶ୍ ଗୁରୁତ୍ଵପୂର୍ଣ୍ଣ ରହୁଛି। ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ପ୍ରଥମେ ଜର୍ମାନୀ ଯାତ୍ରା କରିବେ। ସେଠାରେ ଚାନସେଲର ଓଲାଫ ଶୋଲଜଙ୍କ ସହ ଦ୍ଵିପାକ୍ଷିକ ଆଲୋନଚା କରିବେ। ଏହି ସମୟରେ ଭାରତୀୟ ସମୁଦାୟକୁ ମଧ୍ୟ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। ୨୦୨୧ରେ ଶୋଲଜ ଜର୍ମାନୀର କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ଏହ ପ୍ରଥମ ସାକ୍ଷାତ ହେବ।

ଭାରତ ଏବଂ ଜର୍ମାନୀ ମଧ୍ୟରେ କୂଟନୈତିକ ସମ୍ବନ୍ଧ ଗତ ବର୍ଷ ୭୦ ବର୍ଷ ପୂରିଛି। ଜର୍ମାନୀ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡେନମାର୍କ ଯାତ୍ରା କରିବେ। ଏଠାରେ ସେ ଦ୍ଵିତୀୟ ଇଣ୍ଡିଆ-ନୋର୍ଡିକ ସମ୍ମିଳନୀରେ ଯୋଗ ଦେବେ। ଏହାର ଆୟୋଜନ ଡେନମାର୍କ ଦ୍ଵାରା କରାଯାଉଛି। ଏଠାରେ ପ୍ରଧାନମନ୍ତ୍ରୀ ଏକ ବ୍ୟବସାୟିକ ମଞ୍ଚରେ ଯୋଗ ଦେବେ ଏବଂ ଭାରତୀୟ ସମୁଦାୟର ଲୋକଙ୍କୁ ସମ୍ବୋଧିତ କରିବେ। ଏହା ବ୍ୟତୀତ ନୋର୍ଡିକ ସମ୍ମିଳନୀ ସମୟରେ ଆଇସଲାଣ୍ଡର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିବେ। ପୁଣି ନରଓ୍ଵେ, ସ୍ଵିଡେନ ଏବଂ ଫିନଲାଣ୍ଡ ପରି ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କୁ ମଧ୍ୟ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ ମୋଦୀ।

ଏହି ସମ୍ମିଳନୀରେ କରୋନା ସଙ୍କଟ ପରେ ଅର୍ଥବ୍ୟବସ୍ଥାର ଉର୍ଦ୍ଧ୍ଵଗାମୀ, ଜଳବାୟୁ ପରିବର୍ତ୍ତନ, ଉଦ୍ଭାବନ ଏବଂ ଜ୍ଞାନ କୌଶଳ, ନବୀକରଣୀୟ ଉର୍ଜା ଏବଂ ବିଶ୍ଵ ସୁରକ୍ଷା ପରି ପ୍ରସଙ୍ଗ ଉପରେ ଆଲୋଚନା ହେବ। ଏହା ବାଦ ନୋର୍ଡିକ ଦେଶଗୁଡିକ ସହ ଭାରତର ଭୂମିକାକୁ ନେଇ ପ୍ରଧାନମନ୍ତ୍ରୀ ଚର୍ଚ୍ଚା କରିବେ। ପ୍ରଥମ ଥର ଇଣ୍ଡିଆ-ନୋର୍ଡିକ ସମ୍ମିଳନୀର ଆୟୋଜନ ୨୦୧୮ରେ ଷ୍ଟକହୋମରେ ହୋଇଥିଲା।

ନିଜ ଯାତ୍ରାର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ କିଛି ସମୟ ପ୍ୟାରିସରେ ଅଟକିବେ ଏବଂ ସେଠାରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଭେଟିବେ। ଚଳିତ ବର୍ଷ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ କୂଟନୈତିକ ସମ୍ବନ୍ଧ ୭୫ ବର୍ଷ ପୂରଣ ହେବାକୁ ଯାଉଛି। ଦୁଇ ଦେଶ ମଧ୍ୟରେ ନିବିଡ ରଣନୈତିକ ସମ୍ବନ୍ଧ ରହିଛି। ଭାରତ ବ୍ୟାପକ ମାତ୍ରାରେ ଯୁଦ୍ଧାସ୍ତ୍ର ଫ୍ରାନ୍ସଠୁ କ୍ରୟ କରୁଛି। ଏଥିରେ ରାଫେଲ ପରି ବିମାନ ସାମିଲ୍।