fbpx

ବିଜେପି ରାଜ୍ୟ ସଭାପତିଙ୍କ ସୂଚନା: ଫେବୃଆରୀରେ ଓଡ଼ିଶା ଆସିବେ ମୋଦୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବା ସହିତ ଓଡ଼ିଶାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେଥିପାଇଁ ରାଜ୍ୟ ସ୍ତରରୁ ଆରମ୍ଭ କରି କେନ୍ଦ୍ରୀୟ ସ୍ତରରେ ରାଜନୈତିକ ଦଳମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତ କରିବେ । ସେନେଇ ରାଜ୍ୟ ବିଜେପି ଶିବିର ଏବେଠାରୁ ଚଳଚଞ୍ଚଳ ହୋଇଉଠିଛି ।

ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ଆସନ୍ତା ଫେବୃଆରୀ ମାସ ୩ ତାରିଖରେ ଓଡ଼ିଶା ଆସିବେ । ଆଇଆଇଏମ୍ ସମ୍ବଲପୁରର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପାଇଁ ମୋଦୀ ଓଡ଼ିଶା ଆସିବେ । ଆଇଆଇଏମ୍ କାର୍ଯ୍ୟକ୍ରମ ସହ କିଛି ଶିଳାନ୍ୟାସ ଓ ଉଦଘାଟନ କରିବେ ମୋଦୀ । ଏଥିସହିତ ଆଉ କିଛି ସାଧାରଣ ସଭାରେ ମଧ୍ୟ ପ୍ରଧାନମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏ ବାବଦରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ଚଳିତ ମାସ ଦ୍ୱିତୀୟ ସପ୍ତାହରେ ବିରୋଧୀ ଦଳ ମୁଖ୍ୟ ସଚେତକ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଓ ଦଳର କେନ୍ଦ୍ରୀୟ ନେତୃବୃନ୍ଦ ଓଡ଼ିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ, ଶ୍ରୀ ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ନେଇ ଚର୍ଚ୍ଚା ହୋଇଥିଲା । ଆଗକୁ ନିର୍ବାଚନ ଥିବାରୁ ତାହାକୁ ଦୃଷ୍ଟିରେ ରଖି ମୋଦୀ ଓଡ଼ିଶା ଆସି ରାଜ୍ୟ ନେତୃବୃନ୍ଦଙ୍କୁ କିଛି ଗୁରୁମନ୍ତ୍ର ଦେଇପାରନ୍ତି ।

Get real time updates directly on you device, subscribe now.