fbpx

ଓଡ଼ିଶାରେ ଆରମ୍ଭ ହେବ ‘PM Shri Schools’: ସବୁ ବ୍ଲକ-ପୌରାଞ୍ଚଳରେ ଖୋଲିବ ୨ଟି ସ୍କୁଲ

ଭୁବନେଶ୍ୱର: ଓଡ଼ିଶା ଶିକ୍ଷା ବ୍ୟବସ୍ଥାରେ ଏକ ନୂଆ ପରିବର୍ତ୍ତନ ଆସିଛି । ରାଜ୍ୟରେ ଲାଗୁ ହୋଇଛି ପ୍ରଧାନମନ୍ତ୍ରୀ ଶ୍ରୀ ସ୍କୁଲ । ପିଏମ ଶ୍ରୀ ସ୍କୁଲ ଏହି ବ୍ୟବସ୍ଥାରେ ଓଡ଼ିଶାର ପ୍ରତ୍ୟେକ ବ୍ଲକ ଏବଂ ପୌରାଞ୍ଚଳରେ ୨ଟି ଲେଖାଏଁ ସ୍କୁଲ ଖୋଲାଯିବ । ଏ ନେଇ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏବଂ ରାଜ୍ୟ ଶିକ୍ଷା ସଚିବଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷରିତ ହୋଇଯାଇଛି । ଜାତୀୟ ଶିକ୍ଷାନୀତିର ପୂର୍ଣ୍ଣ ଭାବନାକୁ ନେଇ ଏହି ପିଏମ ଶ୍ରୀ ସ୍କୁଲ କାର୍ଯ୍ୟ କରିବ ଏବଂ ସମସ୍ତ ମୌଳିକ ଉପାଦାନକୁ ପ୍ରଦର୍ଶିତ କରିବ । ଅନ୍ୟ ସମସ୍ତ ବିଦ୍ୟାଳୟ ପାଇଁ ଏକ ଉଦାହରଣ ସାଜିବ ପିଏମ ଶ୍ରୀ ସ୍କୁଲ ।

ଜାତୀୟ ଶିକ୍ଷାନୀତିର ପରାମର୍ଶ ଅନୁସାରେ ହେଇଥିବା ପାଠ୍ୟକ୍ରମ ଓ ପାଠପଢା ପଦ୍ଧତି ସହିତ ଶିକ୍ଷକ ମାନଙ୍କର ପରିବର୍ଦ୍ଧିତ ଦକ୍ଷତା ଇତ୍ୟାଦିକୁ ଏହା ଗୋଟିଏ ସ୍କୁଲରେ ପରିପ୍ରକାଶ କରିବ । ପିଏମ ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାରେ ପିଏମ ଶ୍ରୀ ସ୍କୁଲ ବ୍ୟବସ୍ଥା ଲାଗୁ କରାଯିବ । ପ୍ରତ୍ୟେକ ବ୍ଲକ ଏବଂ ପୌରାଞ୍ଚଳ ହିସାବରେ ରାଜ୍ୟରେ ପ୍ରାୟ ୮୦୦ଟି ପିଏମ ଶ୍ରୀ ସ୍କୁଲରେ ବିକଶିତ ହେବାର ଯୋଜନା କରାଯାଉଛି ।

ଏହି ପିଏମ ଶ୍ରୀ ସ୍କୁଲ ଯୋଜନାକୁ ବେଶ୍ ପ୍ରାଧାନ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାତୀୟ ଶିକ୍ଷାନୀତିର କଳ୍ପନାକୁ କାର୍ଯ୍ୟକାରୀ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ହୋଇପାରେ । ଏଥିରେ ନବସୃଜନ ଆଧାରିତ, ନୂତନ ପ୍ରଯୁକ୍ତିବିଦ୍ୟା, ସ୍ମାର୍ଟ କ୍ଲାସରୁମ୍ ଏବଂ ଖେଳ ସହିତ ଅନ୍ୟାନ୍ୟ କାର୍ଯ୍ୟକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏହି ପିଏମ ଶ୍ରୀ ସ୍କୁଲରେ ଉଚ୍ଚ ସ୍ତରର ଶିକ୍ଷା ପାଇବା ସହ ଏହା ସର୍ବବ୍ୟାପୀ ଏବଂ ସର୍ବସ୍ପର୍ଶୀ ହେବ ।

Get real time updates directly on you device, subscribe now.