ରକ୍ତରେ ଭିଜିଲା ରସୁଲଗଡ଼… ସକାଳୁ ସକାଳୁ ରାଜଧାନୀ ରାସ୍ତାରେ ଗଡ଼ିଲା କଟା ମୁଣ୍ଡ
ଲହୁରେ ଭିଜିଲା ରାଜଧାନୀ । ଗଣ୍ଡି, ମୁଣ୍ଡ ଅଲଗା କରିଦେଲେ ହତ୍ୟାକାରୀ ।
ଭୁବନେଶ୍ୱର: ରାଜଧାନୀ ପ୍ରବେଶ ଦ୍ୱାର କୁହାଯାଉଥିବା ରସୁଲଗଡ଼ରେ ବୁଧବାର ସକାଳେ ଛାତିଥରା ହତ୍ୟାକାଣ୍ଡ ଘଟିଯାଇଛି । ରାସ୍ତରେ ଦେଖିବାକୁ ମିଳିଛି ରକ୍ତର ବନ୍ୟା । ବିଚ୍ ରାସ୍ତାରେ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି ।
ରସୁଲଗଡ଼ ପ୍ଲାଏଓଭରେ ମୁଣ୍ଡବିହୀନ ମୃତଦେହ ଦେଖିବାକୁ ମିଳିଥିଲା । ମୃତଦେହ ନିକଟରେ ଏକ ନାରଙ୍ଗି ରଙ୍ଗର ସ୍କୁଟି ଏବଂ ହେଲମେଟ୍ ପଡ଼ିଥିଲା । ମୃତଦେହରୁ ରକ୍ତ ଝରି ରାସ୍ତାସାରା ହୋଇଯାଇଥିଲା । ଗଣ୍ଡିରୁ ମୁଣ୍ଡ ସମ୍ପୂର୍ଣ୍ଣ ଭାବେ ଅଲଗା ହୋଇଯାଇଥିବା ପୋଲିସ କହିଛି ।
ପ୍ରାଣହରାଇଥିବା ଯୁବକଜଣକ ହେଲେ ଭୁବନେଶ୍ୱର ମ୍ୟୁନିସିପାଲଟି ସଫେଇ କର୍ମଚାରୀ ସଂଘର ସଭାପତି ସହଦେବ ନାୟକ । ସହଦେବ ପୋଲିସ ମିତ୍ର ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ ।
ହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଠ ରହିଥିବାବେଳେ ପୋଲିସ ଘଟଣାର ଛାନଭିନ୍ ଚଳାଇଛି ।
ପୂର୍ବ ଶତ୍ରୁତାରୁ ହତ୍ୟା ସନ୍ଦେହ: ଉଭୟ ପୋଲିସ ମିତ୍ର ଏବଂ ସଫେଇ କର୍ମଚାରୀଙ୍କ ସଭାପତି ଦାୟିତ୍ୱରେ ଥିବା କାରଣରୁ ସହଦେବଙ୍କ ବହୁ ଶତ୍ରୁ ଥାଇପାରନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସହଦେବଙ୍କ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏହାଛଡ଼ା ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମଧ୍ୟ କୁହାଯାଉଛି । ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଖୁବ୍ ଶୀଘ୍ର ଆସାମିକୁ ଧରିବ ବୋଲି କହିଛି ।
ଆଜିଠାରୁ ପ୍ରବାସୀ ଭାରତୀୟ ସମ୍ମେଳନ ଆରମ୍ଭ ହେବାକୁ ଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଆଜି ଓଡ଼ିଶା ଆସିବେ । ଏନେଇ ଭୁବନେଶ୍ୱରରେ ୩ ଦିନିଆ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଯେଉଁକାରଣରୁ ସହରରେ ସଡ଼କ ବ୍ୟବସ୍ଥାକୁ କଡ଼ାକଡ଼ି ମଧ୍ୟ କରାଯାଇଛି ।