ବଢିଯିବ ପପକର୍ଣ୍ଣର ଦର, ବୃଦ୍ଧି ପାଇଲା ଜିଏସଟି

ଜିଏସଟି ବଢିବା ହେତୁ, ବୃଦ୍ଧି ପାଇବ ପପକର୍ଣ୍ଣ ଦର। ଆସନ୍ତୁ ଜାଣିବା କେତେ ରହିବ ଦର..

ନୂଆଦିଲ୍ଲୀ: ପପକର୍ଣ୍ଣକୁ ପ୍ରାୟତଃ ସମସ୍ତେ ଖାଇବାକୁ ପସନ୍ଦ କରିଥାଆନ୍ତି। ଏହା ଏପରି ଏକ ଖାଦ୍ୟ ଯାହା ଟାଇମ ପାସ୍ ପାଇଁ କାର୍ଯ୍ୟରେ ଲାଗିଥାଏ। ଘର ବ୍ୟତୀତ ଆମେ ଫିଲ୍ମ ହଲରେ ପପକର୍ଣ୍ଣ ଅଧିକ ଖାଇଥାଉ। ତେବେ ଏହି ପପକର୍ଣ୍ଣର ଦର ବର୍ତ୍ତମାନ ବୃଦ୍ଧି ପାଇବ।

କେନ୍ଦ୍ର ସରକାର ଏବେ ପପକର୍ଣ୍ଣ ଉପରେ ଆହୁରି ଜିଏସଟି ବଢାଇଦେଇଛନ୍ତି। ଶନିବାର ଦିନ ରାଜସ୍ଥାନର ଜୟସେଲମେରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି।

କେତେ ବଢିଛି ଜିଏସଟି: ଏହି ବୈଠକରେ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସାଧାରଣ ଲୁଣ ଏବଂ ମସଲାରେ ପ୍ରସ୍ତୁତ ପପକର୍ଣ୍ଣ, ଯଦି ତାର ଲେବଲଯୁକ୍ତ ପ୍ୟାକିଂ ନଥାଏ, ତେବେ ତା’ ଉପରେ ୫% ଜିଏସଟି ଆଦାୟ କରାଯିବ। ସେହିପରି ଏହାକୁ ପାକେଜ୍ ଓ ଲେବଲ କଲେ ଏହି ହାର ୧୨% ରହିବ।

ଏହି ପପକର୍ଣ୍ଣର ଦାମ ଅଧିକ ହେବ: ସେ ଆହୁରି କହିଛନ୍ତି ଯେ, ସେହିପରି କାରାମେଲରୁ ପ୍ରସ୍ତୁତ ପପକର୍ଣ୍ଣ ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ହେବ। ଅନ୍ୟପକ୍ଷେ ଫୋର୍ଟିଫାଏଡ ରାଇସ ଉପରେ ଲାଗୁ ଜିଏସଟି ହାର ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ପାଇଛି।