fbpx

“ମାହାଲ ମାଣ୍ଡା” ଆଡମିଟ କାର୍ଡକୁ ନେଇ ପ୍ରଣବ ଓ ଧର୍ମେନ୍ଦ୍ର ମୁହାଁମୁହିଁ

ଭୁବନେଶ୍ୱର(ଓଡିଶା ଭାସ୍କର): ନିକଟରେ ପ୍ରକାଶିତ ହୋଇଥିବା କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଜାଲିଆତି ହୋଇଥିବା ବିଜେପି ଅଭିଯୋଗ କରିଛି। ତେବେ ଏହି ପରୀକ୍ଷାରେ ଜଣେ ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡକୁ ନେଇ ଅନେକ ଚର୍ଚ୍ଚା ହେଉଛି। କାରଣ ଏହି ପରୀକ୍ଷାରେ ଭାଗ ନେଇଥିବା ସେହି ପରୀକ୍ଷାର୍ଥୀଙ୍କର ନାମ “ମାହାଲ ମାଣ୍ଡା” ବୋଲି ରହିଛି। ଏହା ସହ ତାଙ୍କ ବାପାଙ୍କ ନାମ ସ୍ଥାନରେ ‘ମାହାଲ ମାଣ୍ଡା ପ୍ରୋ’ ରହିଛି। ଆଉ ତାଙ୍କ ଫଟୋଗ୍ରାଫ ସ୍ଥାନରେ ଏକ ଚଢେଇର ଫଟୋ ରହିଛି। ତେବେ ଏଭଳି ଏକ ବିଚିତ୍ର ଆଡମିଟ କାର୍ଡକୁ ନେଇ, ଏ ମାହଲ ମାଣ୍ଡା କେଉଁଠୁ ଆସିଲା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଛନ୍ତି।

ଆଜିର ଆୟୋଜିତ ଶକ୍ତି ବନ୍ଦନ କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟ ଦେବା ସମୟରେ କହିଥିଲେ ଯେ, ‘ଓଡ଼ିଶାରେ ଏବେ ମାହଲ ମାଣ୍ଡାମାନେ ମାତିଛନ୍ତି। ରାଜ୍ୟରେ ୨୦ ହଜାର ଶିକ୍ଷକ ନିଯୁକ୍ତିରେ, “ଏ ମାହଲ ମାଣ୍ଡା କେଉଁଠୁ ଆସିଲା’ ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ପ୍ରଶ୍ନ ପରେ ତାଙ୍କୁ ଟ୍ୱିଟ ମାଧ୍ୟମରେ ପାଲଟା ପ୍ରଶ୍ନ କରିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।

ପ୍ରଣବ ଟୁଇଟ୍‍ କରି କହିଛନ୍ତି ଯେ ‘‘ଧର୍ମେନ୍ଦ୍ର ଭାଇ ଆପଣ ବୋଧେ ଜାଣି ନାହାନ୍ତି କିମ୍ବା ଜାଣିକି ନାଟକ କରୁଛନ୍ତି। ଶିକ୍ଷକ ନିଯୁକ୍ତିର ପୂରା ପ୍ରକ୍ରିୟା କେନ୍ଦ୍ରୀୟ ସଂସ୍ଥା ଇଡିସିଆଇଏଲ୍‍ ଜରିଆରେ କରାଯାଇଛି, ଯାହା ଆପଣଙ୍କ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରୁଛି । ଏହି କେନ୍ଦ୍ରୀୟ ସଂସ୍ଥାଟି ‘ମିନି ରତ୍ନ’ ବର୍ଗରେ ଆସୁଛି। ଆପଣ କ’ଣ କହିବାକୁ ଚାହୁଛନ୍ତି ଯେ ଆପଣଙ୍କ ନିଜସ୍ୱ ସଂସ୍ଥା ନିଯୁକ୍ତ ପ୍ରକ୍ରିୟାରେ ଜାଲିଆତି କରିଛି ? ଏହା ସହ ପ୍ରଣବ ଲେଖିଛନ୍ତି ଯେ, କେନ୍ଦ୍ରୀୟ ସଂସ୍ଥା ଇଡିସିଆଇଏଲ୍‍ କେନ୍ଦ୍ରୀୟ ବିଦ୍ୟାଳୟ ଠାରୁ ଆରମ୍ଭ କରି ଜବାହାର ନବୋଦୟ ବିଦ୍ୟାଳୟ, ଏମସ୍‍, ଭାରତୀୟ ସେନା ଏବଂ ଅନ୍ୟାନ୍ୟ ସଂସ୍ଥାପାଇଁ ହଜାର ହଜାର ସଂଖ୍ୟାରେ ନିଯୁକ୍ତି କରିଥାଏ। ସେଠି ମଧ୍ୟ କ’ଣ ଅନିୟମିତତା ହୋଇଥିବା ଆପଣ କହିବାକୁ ଚାହୁଁଛନ୍ତି? ସେହିପରି ପ୍ରଣବ ଆହୁରି ଲେଖିଛନ୍ତି ଯେ, ଆପଣଙ୍କ ନିଜ ସଂସ୍ଥା ନିଯୁକ୍ତି କରିଛି। ହେଲେ କିଛି ନବୁଝି ଡାହା ମିଛ ଓ ନିରାଧାର କଥା କହିବାରେ ଆପଣଙ୍କ ଅହେତୁକ ଆଗ୍ରହ ଦେଖି ଲୋକେ ହସିବା ଆରମ୍ଭ କଲେଣି। ଲାଗୁଛି, ମାହାଲ ମାଣ୍ଡାକୁ ସୃଷ୍ଟି କରିବାରେ ଆପଣଙ୍କର ବଡ ଭୂମିକା ରହିଛି।

 

Get real time updates directly on you device, subscribe now.