fbpx

ନିଜେ ପାର୍ଟି ଗଠନ କରିବେ ପ୍ରଶାନ୍ତ କିଶୋର, ବିହାରରୁ କରିବେ ଶୁଭାରମ୍ଭ, ଟୁଇଟ୍ କରି ଦେଲେ ସଙ୍କେତ

ନୂଆଦିଲ୍ଲୀ: କଂଗ୍ରେସ ସହ ଆଲୋଚନା ବିଫଳ ହେବା ଏବଂ ଦଳରେ ସାମିଲ୍ ହେବା ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ପରେ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ନିଜର ରାଜନୈତିକ ଭବିଷ୍ୟତକୁ ନେଇ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିଛନ୍ତି। ସୋମବାର ଟୁଇଟ୍ ଜରିଆରେ ବିହାରରୁ ନୂତନ ରାଜନୈତିକ ଜୀବନ ଆରମ୍ଭ କରିବାକୁ ସେ ସଙ୍କେତ ଦେଇଛନ୍ତି। ପ୍ରଶାନ୍ତ ସୋମବାର ସକ୍ରିୟ ରାଜନୀତିରେ ପାଦ ଦେବେ ବୋଲି ଘୋଷଣା କରିଛନ୍ତି।

ପ୍ରଶାନ୍ତ କିଶୋର କହିଛନ୍ତି, ଗଣତନ୍ତ୍ରରେ ଭାଗିଦାରୀ ହେବା ଏବଂ ଜନ ସମର୍ଥନ ନୀତିକୁ କାର୍ଯ୍ୟକାରୀ କରିବାରେ ମୁଁ ଉତଥାନ ପତନ ଭରା ୧୦ ବର୍ଷର ଯାତ୍ରାର ନେତୃତ୍ଵ ନେଇଛି। ଏବେ ମୁଁ ନିଜ ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରୁଛି। ଅସଲ ମାଲିକ ଜନତାଙ୍କ ନିକଟକୁ ଯିବାର ସମୟ ଆସି ଯାଇଛି। ଜନତାଙ୍କ ସଂପର୍କିତ ପ୍ରସଙ୍ଗକୁ ଭଲ ଭାବେ ବୁଝିବା ପାଇଁ, ଜନତାଙ୍କ ପାଇଁ ସୁଶାସନ ଆଣିବା ପାଇଁ ଏବେ ବିହାରରୁ ଆରମ୍ଭ ହେବ ଅଭିଯାନ।

 

ନିଜର ଏହି ଟୁଇଟ୍ ଜରିଆରେ ପ୍ରଶାନ୍ତ କିଶୋର ଏହି ସଙ୍କେତ ଦେଇଛନ୍ତି ଯେ, ସେ ବିହାରରୁ ନିଜର ସକ୍ରିୟ ରାଜନୀତି ଜୀବନ ଆରମ୍ଭ କରିବେ। ନିଜର ପାର୍ଟି ଗଠନ କରିବେ, ଯାହାର ନାମ ‘ଜନ ସୁରାଜ’। ଉଲ୍ଲେଖନୀୟ ପ୍ରଶାନ୍ତ କିଶୋର ଗତ ଏକ ଦଶନ୍ଧିରେ ବିଜେପି, କଂଗ୍ରେସ, ଜେଡିୟୁ, ତୃଣମୂଳ କଂଗ୍ରେସ, ଓ୍ଵାଇଏସଆର କଂଗ୍ରେସ, ଡିଏମକେ ସମେତ ଅନ୍ୟ ଦଳ ପାଇଁ ସଫଳ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରି ସାରିଛନ୍ତି। ସେ କିଛି ସମୟ ପାଇଁ ଜନତା ଦଳ ୟୁନାଇଟେଡରେ ଉପାଧ୍ୟକ୍ଷ ଭାବେ ମଧ୍ୟ କାମ କରିଛନ୍ତି।

ଏହା ପରେ ସେ ତୃଣମୂଳ କଂଗ୍ରେସ ପାଇଁ ରଣନୀତିକାର ଭୂମିକା ତୁଲାଇଥିଲେ। ଲାଗୁଥିଲା ସେ ତୃଣମୂଳ କଂଗ୍ରେସରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିବେ। ହେଲେ ପ୍ରଶାନ୍ତ କିଶୋର କୌଣସି ରାଜନୈତିକ ଦଳରେ ସାମିଲ୍ ନହୋଇ ନିଜ ପାର୍ଟି ଗଠନ କରିବାକୁ ନିର୍ଣ୍ଣୟ ନେଇଛନ୍ତି।

ପ୍ରଶାନ୍ତ କିଶୋରଙ୍କ ରାଜନୈତିକ ପାର୍ଟି କେବେ ଲଞ୍ଚ ହେବ ସେ ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ଖୁବ୍ ଶୀଘ୍ର ବିହାରରେ ନିଜର ପାର୍ଟି ଲଞ୍ଚ କରିବେ। ସୂତ୍ର ଅନୁଯାୟୀ, ତାଙ୍କ ପାର୍ଟି ସଂପୂର୍ଣ୍ଣ ଆଧୁନିକ ହେବ ଏବଂ ଡିଜିଟାଲ ହେବ। ଜନସଂପର୍କ ପାଇଁ ନୂତନ ଜ୍ଞାନ କୌଶଳ ପ୍ରୟୋଗ କରାଯିବ।

 

Get real time updates directly on you device, subscribe now.