fbpx

ନିର୍ବାଚନୀ ପୂର୍ବ ହିଂସା; ଥାନା ଉପରେ ଆକ୍ରମଣ, ୧୦ ମୃତ

Advertisement

ଇସଲାମାବାଦ: ପାକିସ୍ତାନରେ ସାଧାରଣ ନିର୍ବାଚନ ପୂର୍ବରୁ ହିଂସା ଦେଖିବାକୁ ମିଳିଛି । ପାକିସ୍ତାନର ଖୈବର ପୁଖ୍‌ତୁନଖ୍ୱା ସ୍ଥିତ ଏକ ଥାନା ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୧୦ ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ଥିବା ସୂଚନା ମିଳିଛି ।

ପାକିସ୍ତାନ ପୋଲିସଙ୍କ କହିବାନୁଯାୟୀ ଡେରା ଇସମାଇଲ ଖାନ୍ ଜିଲ୍ଲାର ଏକ ଥାନାରେ ସୋମବାର ସକାଳ ପ୍ରାୟ ୩ଟା ପାଖାପାଖି ଅତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଅତଙ୍କବାଦୀମାନେ ଭାରି ଅସ୍ତ୍ରଶସ୍ତ୍ର ଏବଂ ଗ୍ରେନେଡ଼ରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୧୦ ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଥିଲେ । ତେବେ ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏହି ଆକ୍ରମଣ ପରେ ଆତଙ୍କବାଦୀମାନେ ରାତି ଅନ୍ଧାରରେ ହିଁ ପଳାୟନ କରିଥିଲେ । ଏହା ସହ ପୋଲିସ ଅହୁରି ମଧ୍ୟ କହିଛି ଯେ ଅତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀ ଦ୍ୱାରା ସର୍ଚ୍ଚ ଅଂଚଳକୁ ଘେରାବନ୍ଦି କରାଯାଇଛି । ଏହା ସହ ସର୍ଚ୍ଚ ଅପରେସନକୁ ତ୍ୱରାନ୍ୱିତ କରାଯାଇଛି । ରାପିଡ୍ ଆକ୍ସନ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।

କହିରଖୁଛୁ ଫେବୃଆରୀ ୮ରେ ପାକିସ୍ତାନରେ ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଦେଶ କ୍ରମାଗତ ଭାବେ ଏଭଳି ଆତଙ୍କବାଦୀ ଆକ୍ରମଣର ସାମ୍ନା କରୁଛି । ନିକଟରେ ବାଲୁଚିସ୍ତାନରେ ହୋଇଥିବା ୩ଟି ଆତଙ୍କବାଦୀ ଆକ୍ରମଣରେ ୪ ସରକାରୀ କର୍ମଚାରୀ ଏବଂ ୨ ନାଗରିକଙ୍କ ମତୃ ହୋଇଥିଲା । ଏହା ପରେ ପାକିସ୍ତାନ ସେନା ବାହିନୀଙ୍କ ସହ ମୁହାଁମୁହିଁରେ ୯ ଜଣ ଅତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.