ମଦ ପାଇଁ ଖୋଲିବ ପ୍ରିମିୟମ ଦୋକାନ, ଗ୍ରାହକଙ୍କୁ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ: ସାଧାରଣତଃ ପାର୍ଟି କିମ୍ବା ସେଲିବ୍ରେସନ ସମୟରେ ମଦର ଚାହିଦା ବୃଦ୍ଧି ପାଇଥାଏ । ବଜାରରେ ବିଭିନ୍ନ ପ୍ରକାର ବ୍ରାଣ୍ଡର ମଦ ଉପଲବ୍ଧ କିନ୍ତୁ କେବଳ କିଛି ବ୍ୟକ୍ତି ହିଁ ପ୍ରିମିୟମ ମଦ କିଣିବା ପାଇଁ ସକ୍ଷମ ଅଟନ୍ତି । ଏହି ପରିପ୍ରେକ୍ଷୀରେ ବଡ଼ ଦିନ(କ୍ରିସ୍‌ମାସ୍‌) ଏବଂ ନବ ବର୍ଷ ସେଲିବ୍ରେସନକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହା ଅନ୍ତର୍ଗତ ଆସନ୍ତା ନୂଆ ବର୍ଷ ପ୍ରାରମ୍ଭରେ ଦିଲ୍ଲୀରେ ପ୍ରିମିୟମ ମଦ ଦୋକାନ ଖୋଲିବା ନେଇ ଯୋଜନା ରହିଛି ।

ଉତ୍ପାଦ ଶୁଳ୍କ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ‘ଆମେ ଦିଲ୍ଲୀ ସରକାରଙ୍କ ୪ଟି ନିଗମକୁ ଅଧିକ ସଂଖ୍ୟାରେ ପ୍ରିମିୟମ ମଦ ଦୋକାନ ଖୋଲିବା ପାଇଁ କହିଛୁ । ସେମାନେ ଏହା ଉପରେ କାର୍ଯ୍ୟ କରୁଛନ୍ତି ।’ସେ ଆହୁରି ମଧ୍ୟ କହିଛନ୍ତି କି ଏହି ପ୍ରିମିୟମ ମଦ ଦୋକାନ ଆକାରରେ ବହୁତ ବଡ଼ ହେବ ଏବଂ ଆଦର୍ଶ ଭାବରେ ୫୦୦ ବର୍ଗ ମିଟରରୁ ଅଧିକ ରହିବ । ଏହି ପ୍ରିମିୟମ ଦୋକାନରେ ଗ୍ରାହକ ନିଜ ପସନ୍ଦର ବ୍ରାଣ୍ଡ୍ ଚୟନ କରିବାର ସୁବିଧା ରହିବ । କହିରଖୁଛୁ ୨୦୨୦ରେ ଉତ୍ପାଦ ଶୁଳ୍କ ନୀତି ୨୦୨୧-୨୨ରେ ବୃଦ୍ଧି ପରେ ବେସରକାରୀ ଅପରେଟର ଦିଲ୍ଲୀରେ ମଦ ଦୋକାନ ବନ୍ଦ କରିଦେଇଥିଲେ । ଦିଲ୍ଲୀ ସରକାରଙ୍କ ୪ଟି ନିଗମ ଯଥା ଦିଲ୍ଲୀ ରାଜ୍ୟ ଶିଳ୍ପ ଏବଂ ଭିତ୍ତିଭୂମି ବିକାଶ ନିଗମ(DSIIDC), ଦିଲ୍ଲୀ ପର୍ଯ୍ୟଟନ ଏବଂ ପରିବହନ ବିକାଶ ନିଗମ(DTTDC), ଦିଲ୍ଲୀ ଗ୍ରାହକ ସମବାୟ ହୋଲସେଲ ଷ୍ଟ୍ରୋର(DCCWS) ଏବଂ ଦିଲ୍ଲୀ ରାଜ୍ୟ ନାଗରିକ ଯୋଗାଣ ନିଗମ ଲିମିଟେଡ୍‌(DSCSC) ମଦ କାରବାରକୁ ସଂଚାଳିତ କରିଥାନ୍ତି । ବର୍ତ୍ତମାନ ସମୟରେ ଦିଲ୍ଲୀରେ ପ୍ରମୁଖ ଶପିଂ କେନ୍ଦ୍ର ଏବଂ ମଲରେ ୪୫ରୁ ଉର୍ଦ୍ଧ୍ୱ ପ୍ରିମିୟମ ଦେକାନ ଚାଲୁଛି । ଏଭଳି ସ୍ଥିତିରେ ୪ଟି ନିଗମରୁ ଅଧିକ ପ୍ରିମିୟମ ଦୋକାନ ଖୋଲିବା ପାଇଁ ଏବଂ ଏହାକୁ ଭଡ଼ାରେ ଦେବା ପାଇଁ ଉପଯୁକ୍ତ ସ୍ଥାନ ସନ୍ଧାନ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉତ୍ପାଦ ଶୁଳ୍କ ଏବଂ ବର୍ଦ୍ଧିତ ମୂଲ୍ୟ ମାଧ୍ୟମରେ ଅର୍ଜିିତ ରାଜସ୍ୱରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ସୁଧାର ଦେଖିବାକୁ ମିଳିଛି । ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଉତ୍ପାଦ ଶୁଳ୍କ ବିଭାଗ ମଦ ବିକ୍ରି ଶୁଳ୍କରୁ ୩, ୦୪୭ ଟଙ୍କା ଆୟ କରିଛି । ଗତ ବଷର ପ୍ରଥମାର୍ଦ୍ଧରେ ୨୮୪୯ କୋଟି ଟଙ୍କାର ଆୟ କରିଥିଲା ବିଭାଗ ।