ଆଜିଠାରୁ ରାଜ୍ୟ ବିଜେପିର ସାଙ୍ଗଠନିକ ପର୍ବ ପାଇଁ ପ୍ରସ୍ତୁତି ଆରମ୍ଭ, ସାଙ୍ଗଠନିକ ନିର୍ବାଚନକୁ ନେଇ ଅନୁଷ୍ଠିତ ହେବ ରାଜ୍ୟ କର୍ମଶାଳା
ଭୁବନେଶ୍ୱର: ଆଜିଠାରୁ ରାଜ୍ୟ ବିଜେପିର ସାଙ୍ଗଠନିକ ପର୍ବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସଦସ୍ୟତା ଅଭିଯାନ, ସକ୍ରିୟ ସଦସ୍ୟତା ଅଭିଯାନ ପରେ ଏବେ ସାଙ୍ଗଠନିକ ନିର୍ବାଚନ ଲାଗି ପ୍ରସ୍ତୁତି ହେଉଛି ରାଜ୍ୟ ବିଜେପି । ଏଥିପାଇଁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଂଗଠନ ପର୍ବ ରାଜ୍ୟ କର୍ମଶାଳା ଅନୁଷ୍ଠିତ ହୋଇଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏହି ସଂଗଠନ ପର୍ବ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ସାମିଲ ହେବେ । ଯେଉଁ ସାଂସଦ ଓ ବିଧାୟକମାନେ ଦଳର ନିର୍ବାଚନ ପ୍ରକ୍ରିୟାରେ ଜଡ଼ିତ ଅଛନ୍ତି ସେମାନେ ମଧ୍ୟ ଉପସ୍ଥିତ ରହିବେ ।
ଏହି ସାଂଗଠନିକ ପର୍ବ ରାଜ୍ୟ କର୍ମଶାଳା ମାଧ୍ୟମରେ ରାଜ୍ୟ ସଭାପତି, ଜିଲ୍ଲା ସଭାପତି, ବ୍ଳକ ସଭାପତି ସମେତ ଦଳର ବୁଥ ଠାରୁ ଆରମ୍ଭ କରି ବିଭିନ୍ନ ସାଂଗଠନିକ ପଦର ନିର୍ବାଚନକୁ ନେଇ କର୍ମଶାଳା ଅନୁଷ୍ଠିତ ହେବ। ତେବେ ବିଜେପି ଓଡ଼ିଶାରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ ପରେ ଆଗମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପିକୁ ସଫଳତା ଦେବା ପାଇଁ ଏହି ସାଙ୍ଗଠନିକ ନିର୍ବାଚନ ଗୁରୁତ୍ଵ ବହନ କରୁଛି ।