୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ମହାପ୍ରଭୁଙ୍କ ରଥଯାତ୍ରାରେ ହେବେ ସାମିଲ

ଭୁବନେଶ୍ୱର: ଆଜି ରଥଯାତ୍ରା ପାଇଁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ତାଙ୍କ ଗସ୍ତ ସମୟରେ ଭୁବନେଶ୍ୱର ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚିବା ପରେ ରାଜଭବନରେ ରାତ୍ରୀ ଯାପନ କରିବେ । ପରେ ଜୁଲାଇ ୭ ତାରିଖ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଯିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଆସନ୍ତାକାଲି ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ, ପଥ ଓ ଭକ୍ତ ସମସ୍ତେ ପ୍ରସ୍ତୁତ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଥଯାତ୍ରାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ । ବ୍ଲୁ ବୁକ୍ ଅନୁଯାୟୀ ରାଷ୍ଟ୍ରପତିଙ୍କ ସୁରକ୍ଷା ରହିଛି। ନୋ ଫ୍ଲାଇଙ୍ଗ ଜୋନ ହେବ, ରୁଟ ଲାଇନ୍ ରେ କୌଣସି ଉଡନ୍ତା ବସ୍ତୁ ଅନୁମତି ନାହିଁ। ତାଙ୍କ ଗସ୍ତ ରାସ୍ତାରେ ସିଲ କରାଯିବ। ରାଷ୍ଟ୍ରପତିଙ୍କ ସ୍ଵତନ୍ତ୍ର ସୁରକ୍ଷା ବାହିନୀ ସହ ରାଜ୍ୟ ପୋଲିସର ଟିମ୍ ସୁରକ୍ଷା ଦେବେ। ରୁଫ ଟପ୍ ସର୍ପ ସୁଟର ସ୍ନାଇପର ସଜାଗ ରହିବେ। ପୁରୀ ପାଇଁ ରହିଛି ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା। ପୋଲିସ ଡିଜି ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ, ରଥଯାତ୍ରାର ମନିଟରିଂ କରୁଛନ୍ତି । ଭୁବନେଶ୍ୱରରେ ଡିସିପି ପ୍ରତୀକ ସିଂହ ଦାୟିତ୍ୱରେ ଥିବା ବେଳେ ପୋଲିସ କମିଶନର ସଞ୍ଜୀବ ପଣ୍ଡା ତଦାରଖ କରିଛନ୍ତି । ୪ଟି ଭେନୁରେ କାରକେଡ ରିହଲସଲ କରାଯିବ। ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ୬ଜଣ ଅତିରିକ୍ତ ଡିସିପି, ୧୫ଜଣ ଏସିପି, ୧୫ଜଣ ଇନସିପେକ୍ଟର,୧୦୦ଜଣ ଅଫିସର, ୪ଟି ଏସଟିଓ ଟିମ ସହ ବମ ସ୍କ୍ୱାଡ୍ ଓ ଡଗ୍ ସ୍କ୍ୱାଡ୍ ନିୟୋଜିତ ରହିବେ । ରାଷ୍ଟ୍ରପତି ଆଜି ବିମାନବନ୍ଦରରେ ପହଂଚିବା ପରେ ସିଧାସଳଖ ଭୁବନେଶ୍ୱର ସୂଚନା ଭବନ ଯାଇ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ୭ ତାରିଖରେ ପୁରୀ ଯାଇ ରଥଯାତ୍ରାରେ ଯୋଗଦେବେ । ୮ ତାରିଖ ସକାଳେ ଖଣ୍ଡଗିରି ଓ ଉଦୟଗିରି ପରିଦର୍ଶନ କରିବା ସହିତ ଅପରାହ୍ନରେ ଅନ୍ଧାରୁଆରେ ବ୍ରହ୍ମାକୁମାରୀ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଡିଭାଇନ ରିଟ୍ରିଟ୍‌ ସେଣ୍ଟର ଉଦ୍‌ଘାଟନ କରିବେ । ୯ ତାରିଖରେ ଜଟଣୀ ନାଇଜର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।