fbpx

ମହିଳା ଏବଂ ପୁରୁଷ ସମାନତା କ୍ଷେତ୍ରରେ ଦେଶରେ ବର୍ତ୍ତମାନ ନିଆଯାଉଛି ସବୁଠୁ ବଡ଼ ବୈପ୍ଲବାତ୍ମକ ପଦକ୍ଷେପ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଭାରତୀୟ ସମ୍ବିଧାନ ପ୍ରଣିତ ହେବା ଠାରୁ ପୁରୁଷ ଏବଂ ମହିଳା ସମାନତା, ଧନ ଜୀବନର ସୁରକ୍ଷା ଓ ଲୋକମାନଙ୍କର ସମ୍ମାନ ରକ୍ଷା ଦିଗରେ ଅସଂଖ୍ୟ ବିପ୍ଳବ ପାଇଁ ପଥ ଉନ୍ମୁକ୍ତ କରିଛି । ନୂଆଦିଲ୍ଲୀରେ ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଜାତୀୟ ମାନବ ଅଧିକାର ପ୍ରତିଷ୍ଠାନଗୁଡ଼ିକର ସମ୍ମିଳନୀରେ ଉଦ୍‍ବୋଧନ ଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ଯେ, ବହୁବର୍ଷ ଧରି ସରକାର ଅନେକ ଉଚ୍ଚାଭିଳାଷୀ ଯୋଜନା ପ୍ରଣୟନ କରି ଆସୁଛନ୍ତି । ଯାହ ଫଳରେ ଲୋକମାନଙ୍କୁ ବାସଗୃହ, ଶୌଚାଳୟ, ଉତ୍ତମ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ମିଳିପାରୁଛି ଏବଂ ସେମାନଙ୍କର ସମ୍ମାନ ରକ୍ଷା କରାଯାଇପାରୁଛି ।

ରାଷ୍ଟ୍ରପତି କହିଛନ୍ତି, ଭାରତରେ ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥା ଗୁଡ଼ିକରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଯୋଗାଇ ଦିଆଯାଇଛି । ସେ କହିଛନ୍ତି, ବର୍ତ୍ତମାନ ଲୋକସଭା ଓ ରାଜ୍ୟ ବିଧାନସଭା ଗୁଡ଼ିକରେ ସମାନଧରଣର ସଂରକ୍ଷଣ ମହିଳାମାନଙ୍କୁ ଯୋଗାଇଦେବା ଲାଗି ଉଦ୍ୟମ ଆରମ୍ଭ ହୋଇଛି । ରାଷ୍ଟ୍ରପତି କହିଛନ୍ତି ମହିଳା-ପୁରୁଷ ସମାନତା କ୍ଷେତ୍ରରେ ଏହା ବର୍ତ୍ତମାନ ସବୁଠୁ ବଡ଼ ବିପ୍ଳବାତ୍ମକ ପଦକ୍ଷେପ ହେବାକୁ ଯାଉଛି ।

ଲୋକସଭାରେ ବର୍ତ୍ତମାନ ମହିଳା ସଂରକ୍ଷଣ ବିଲ୍‍-ନାରୀଶକ୍ତି ବନ୍ଦନ ଉପରେ ଆଲୋଚନା ଚାଲିଛି । ବିଲ୍‍ରେ ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ଆସନ ସଂରକ୍ଷିତ ରଖିବା ପାଇଁ କେନ୍ଦ୍ର ଆଇନ୍‍ ମନ୍ତ୍ରୀ ଅର୍ଜୁନ୍‍ରାମ ମେଘୱାଲ ପ୍ରସ୍ତାବ ଆଗତ କରିବା ପରେ ଏହି ବିଷୟରେ ଚର୍ଚ୍ଚା ଚାଲିଛି । ଚର୍ଚ୍ଚାରେ ଭାଗନେଇ ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି, ମହିଳାମାନଙ୍କୁ ଉପଯୁକ୍ତ ନ୍ୟାୟ ଦେବା ସହିତ ସାମାଜିକ ଏବଂ ଆର୍ଥିକ ଅସମାନତାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି ।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ କହିଥିଲେ ଯେ, ମହିଳା ସଶକ୍ତିକରଣ ପାଇଁ କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ଯୋଜନା ମହିଳା ନେତୃତ୍ୱ କ୍ଷେତ୍ରରେ ସାର୍ଥକ ପଦକ୍ଷେପ । ସେ କହିଥିଲେ ସାରା ବିଶ୍ୱ ଦେଶରେ ମହିଳାମାନଙ୍କ ନେତୃତ୍ୱରେ ହେଉଥିବା ବିକାଶ ପ୍ରକ୍ରିୟାକୁ ମାନ୍ୟତା ପ୍ରଦାନ କରିଛି । କେନ୍ଦ୍ର ସରକାର ଦେଶର ପ୍ରଗତିରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ଲୋକସଭା ଓ ବିଧାନସଭା ଗୁଡ଼ିକରେ ମହିଳାମାନଙ୍କ ନେତୃତ୍ୱକୁ ବୃଦ୍ଧି କରିବା ହେଉଛି ‘ନାରୀ ଶକ୍ତି ବନ୍ଦନ’ ଅଧିନିୟମର ଉଦ୍ଦେଶ୍ୟ । ଏହି ଅଧିନିୟମ ଗଣତନ୍ତ୍ରକୁ ଆହୁରି ସୁଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.