fbpx

ରାଷ୍ଟ୍ରପତି ନିର୍ବାଚନ ଲାଗି ବିରୋଧୀଙ୍କୁ ପ୍ରାର୍ଥୀ ସଙ୍କଟ, ମମତାଙ୍କ ପ୍ରୟାସକୁ ଝଟକା

ନୁଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ସମସ୍ତ ବିରୋଧୀଙ୍କୁ ଏକଜୁଟ୍ କରିବା ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଚେଷ୍ଟା ବିଫଳ ହୋଇଛି। କାରଣ ରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରାର୍ଥୀ ଖୋଜିବା ବିରୋଧୀଙ୍କ ଲାଗି କାଠିକର ପାଠ ହେଲାଣି। ଏନସିପି ମୁଖ୍ୟ ଶରଦ ପାୱାର, ନାସନାଲ କନଫରେନ୍ସର ଫାରୁକ୍ ଅବଦୁଲ୍ଲା ଏବଂ ପଶ୍ଚିମବଙ୍ଗର ପୁର୍ବତ୍ତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ ଏହି ପ୍ରସ୍ତାବକୁ ମନା କରିଦେବା ପରେ ବିରୋଧୀ ଏବେବି ପ୍ରାର୍ଥୀ ଖୋଜିବାରେ ଲାଗିଛନ୍ତି।

ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ମମତା ବାନାର୍ଜୀ ଜୁନ୍ ୧୫ ରେ ଦିଲ୍ଲୀରେ ଏକ ବୈଠକ ଡାକିଥିଲେ। ତେବେ ବୈଠକ ପରେ ଶରଦ ପାୱାର ପ୍ରାର୍ଥୀ ହେବାକୁ ମନା କରିଦେଇଥିଲେ। ସେ ପ୍ରାର୍ଥୀ ହେବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଶରଦ ପାୱାରଙ୍କ ପ୍ରତ୍ୟାଖ୍ୟାନ ପରେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ନାମ ସାମ୍ନାକୁ ଆସିଛି। ସେ ପ୍ରାର୍ଥୀ ହେବାକୁ ମଧ୍ୟ ପ୍ରସ୍ତୁତ ନୁହଁନ୍ତି ବୋଲି ଜଣାଇଛନ୍ତି।

ଏହି ଦୁଇ ନେତାଙ୍କ ନାଁ ପରେ ମମତା ବାନାର୍ଜୀଙ୍କ ଆଖି ଗୋପାଳକୃଷ୍ଣ ଗାନ୍ଧୀଙ୍କ ଉପରେ ରହିଥିଲା। ମମତାଙ୍କୁ ଏକ ବଡ ଝଟକା ଦେଇ ଗୋପାଳକୃଷ୍ଣ ଗାନ୍ଧୀ ମଧ୍ୟ ସୋମବାର ପ୍ରାର୍ଥୀ ହେବାରୁ ଓହରି ଯାଇଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ଯେପରି ଭାରତୀୟ ଜନତା ପାର୍ଟି (ବିଜେପି) କୁ ପରାସ୍ତ କରିଥିଲେ, ତାଙ୍କର ଶକ୍ତି ବୃଦ୍ଧି ପାଇଥିଲା ଏବଂ ସେ ବିରୋଧୀ ଦଳର ଜଣେ ଶକ୍ତିଶାଳୀ ନେତା ଭାବରେ ଉଭା ହୋଇଥିଲେ।
ଏହି ମନୋବଳ ସହିତ ମମତା ସମସ୍ତ ବିରୋଧୀଙ୍କୁ ଏକଜୁଟ୍ କରି ରାଷ୍ଟ୍ରପତି ପ୍ରାର୍ଥୀ ସ୍ଥିର କରିବାକୁ ବିରୋଧୀ ଦଳର ଏକ ବୈଠକ ଡାକିଥିଲେ। ବୈଠକ ପରେ ଯେଉଁ ପ୍ରକାରର ଚିତ୍ର ବର୍ତ୍ତମାନ ଦୃଶ୍ୟମାନ ହେଉଛି, ମମତାଙ୍କ ଜାତୀୟ ନେତା ହେବାର ପ୍ରୟାସରେ ଏକ ଝଟକା ଲାଗିଛି।

ମମତାଙ୍କ ବୈଠକର ପ୍ରାୟ ଏକ ସପ୍ତାହ ପରେ,ଏନସିପି ଶରଦ ପାୱାର ମଙ୍ଗଳବାର ଏକ ବୈଠକ ଡାକିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସ୍ଥାନରେ ତାଙ୍କ ପୁତୁରା ତଥା ତୃଣମୁଳ କଂଗ୍ରେସ ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ପାୱାର ଡାକିଥିବା ବୈଠକରେ ଯୋଗଦେବେ। ମମତାଙ୍କ ଉଦ୍ୟମ ବିଫଳ ହେବା ପରେ ଶରଦ ପାୱାର ବିରୋଧୀ ଦଳ ପକ୍ଷରୁ ନେତୃତ୍ୱ ନେବାକୁ ଚେଷ୍ଟା କରୁଛନ୍ତି। ଆଜି ଅନୁଷ୍ଠିତ ହେବାକୁ ଥିବା ବୈଠକର ଫଳାଫଳ କ’ଣ ହେବ ତାହା ଦେଖିବାକୁ ପଡ଼ିବ।

ଆଜି ଅନୁଷ୍ଠିତ ହେବାକୁ ଥିବା ଶରଦ ପାୱାର ବୈଠକରେ ଟିଏମସିର ରାଷ୍ଟ୍ରୀୟ ଉପସଭାପତି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କ ନାମ ପ୍ରସ୍ତାବିତ ହୋଇପାରେ। ନାମ ଗୋପନ ରଖିବା ସର୍ତ୍ତରେ ତୃଣମୁଳ କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନରେ ୟଶୱନ୍ତ ସିହ୍ନାଙ୍କ ନାମକୁ ବିରୋଧୀ ପ୍ରାର୍ଥୀ ଭାବରେ ପ୍ରସ୍ତାବ ଦେବା ପାଇଁ କେତେକ ଦଳରୁ ପ୍ରସ୍ତାବ ଆସିଛି। ”

କଂଗ୍ରେସ କୌଣସି ପ୍ରାର୍ଥୀଙ୍କୁ ପଠାଉ ନାହିଁ, ବିରୋଧୀ ଦଳ ଯାହାକୁ ପସନ୍ଦ କରିବେ, ସେହି ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ କରିବ ବୋଲି ମଲିକାର୍ଜୁନ ଖଡଗେ କହିଥିଲେ। କଂଗ୍ରେସ ପଛଘୁଞ୍ଚା ଦେବାର କାରଣ ହେଉଛି ବିରୋଧୀ ଏକତା, କାରଣ ଟିଆରଏସ ଭଳି ଦଳ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେମାନେ କଂଗ୍ରେସ ସହିତ କୌଣସି ବୈଠକ କରିବେ ନାହିଁ। ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବା ବୈଠକରେ ୧୭ ଟି ଦଳ ଅଂଶଗ୍ରହଣ କରିବେ ବୋଲି ସୂତ୍ରରୁ ପ୍ରକାଶ।

Get real time updates directly on you device, subscribe now.