”ମୋ ଝିଅ ଏଠି ୨ ବର୍ଷ ପାଠ ପଢ଼ିଲା ବେଳେ…”, ପୁରୁଣା ଦିନର କଥା ମାନେ ପକାଇଲେ ରାଷ୍ଟ୍ରପତି 

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଛନ୍ତି। ଏହି ଅବସରରେ ସେ ରେଭେନ୍ସାକୁ କେବଳ ଇଟା ଓ ସିମେଣ୍ଟରେ ଗଢ଼ା ଏକ ଅନୁଷ୍ଠାନ ନୁହେଁ, ବରଂ ଏକ ‘ଶାଳଗ୍ରାମ’ ବୋଲି ଆଖ୍ୟା ଦେଇଛନ୍ତି। ସେ କହିଛନ୍ତି ଯେ, ରେଭେନ୍ସା ଭାରତର ଇତିହାସ ସହ ଗଭୀର ଭାବେ ଜଡ଼ିତ ଏବଂ ଏହା ଅନେକ ସଫଳତାର କାହାଣୀ ସୃଷ୍ଟି କରିଛି।

ରାଷ୍ଟ୍ରପତି ନିଜର ବ୍ୟକ୍ତିଗତ ଅନୁଭୂତି ବାଣ୍ଟି କହିଛନ୍ତି, “ମୋର ଝିଅ ଏଠାରେ ଦୁଇ ବର୍ଷ ପାଠ ପଢ଼ିଥିଲା ବେଳେ ମୁଁ ହଷ୍ଟେଲକୁ ଆସିଥିଲି। ଏହି ଅନୁଷ୍ଠାନ ମୋ ପାଇଁ ସ୍ମରଣୀୟ ଅଛି।” ସେ ଆହୁରି କହିଛନ୍ତି ଯେ, ଗତ ଦୁଇ ବର୍ଷ ଧରି ରେଭେନ୍ସାରେ ଝିଅମାନେ ପୁଅମାନଙ୍କ ତୁଳନାରେ ଅଧିକ ସଫଳତା ହାସିଲ କରିଛନ୍ତି, ଯାହା ସମାଜରେ ପରିବର୍ତ୍ତନର ଏକ ଜ୍ୱଳନ୍ତ ପ୍ରମାଣ।

ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି ରାଷ୍ଟ୍ରପତି କହିଛନ୍ତି, “ଚାକିରି କରିବା ପାଇଁ ନୁହେଁ, ଚାକିରି ଦେବାକୁ ଉଦ୍ୟମ କରନ୍ତୁ।” ସେ ଓଡ଼ିଶାର ମହାନ ସନ୍ତାନ ମଧୁସୂଦନ ଦାସଙ୍କ ଜୋତା କାରଖାନାର ଉଦାହରଣ ଦେଇ କହିଛ଼ନ୍ତି ଯେ, ନିଜ କ୍ଷେତ୍ରରେ ନୂଆ କାର୍ଯ୍ୟ ଆରମ୍ଭ କରି ଅନ୍ୟମାନଙ୍କ ପାଇଁ ପଥପ୍ରଦର୍ଶକ ହେବା ଦରକାର।

ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ କର୍ମକ୍ଷେତ୍ରରେ ଥାଉନା କାହିଁକି, ରେଭେନ୍ସା ଏକ ଅନୁଷ୍ଠାନ ତା’ର ଛାତ୍ରଛାତ୍ରୀଙ୍କ ହୃଦୟରେ ଚିରସ୍ଥାୟୀ ସ୍ଥାନ ଗଢ଼ିଥାଏ। ସେ ଛାତ୍ରଛାତ୍ରୀମାନଙ୍କୁ ଏହି ଅନୁଷ୍ଠାନର ମୂଲ୍ୟବୋଧକୁ ମନେ ରଖି ଦେଶ ଓ ସମାଜ ପାଇଁ ଯୋଗଦାନ ଦେବାକୁ ଆହ୍ୱାନ ଦେଇଛନ୍ତି।