CHARIDHAM

ଧନତେରାସରେ ଗରିବଙ୍କୁ ନୂଆ ଘର ପ୍ରଦାନ କଲେ ମୋଦୀ: ୪.୫ ଲକ୍ଷ ଲୋକଙ୍କୁ କରାଇଲେ ‘ଗୃହପ୍ରବେଶ’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମଧ୍ୟପ୍ରଦେଶର ୪.୫ ଲକ୍ଷ ଲୋକଙ୍କ ‘ଗୃହ ପ୍ରବେଶ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଗୃହର ଉଦଘାଟନ କରିଛନ୍ତି । ଏହି ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମିଣ (ପିଏମଏୟାଇ-ଜି) ଅଧୀନରେ ସରକାରଙ୍କଠାରୁ ଘର ମିଳିଛିି । ଏହି ଅବସରରେ ସେ କହିଛନ୍ତି ଯେ, ଆମକୁ ଯେତେ ସମାଲୋଚନା କଲେ ମଧ୍ୟ ଆମେ କାର୍ଯ୍ୟ ଜାରି ରଖିବୁ ।

ତାଙ୍କ କହିବା ମୁତାବକ, ‘ଦେଶର ଟିକସଦାତା ମଧ୍ୟ ଏଭଳି କାମ ଦେଖି ଖୁସି ଅଛନ୍ତି । ଅନେକ କରଦାତା ମୋତେ ଚିଠି ଲେଖିଛନ୍ତି । ସାଢ଼େ ୪ ଲକ୍ଷ ଭାଇ ଓ ଭଉଣୀଙ୍କ ପାଇଁ ଏକ ନୂଆ ଜୀବନ ଆରମ୍ଭ ହେଉଛି । ଯେଉଁମାନଙ୍କ ପାଖରେ ସମ୍ବଳ ଥିଲା, ସେମାନଙ୍କ ପାଇଁ ଧନତେରାସ ମଧ୍ୟ ରହିଛି । ଆଜି ଦେଖନ୍ତୁ ଦେଶର ଗରିବମାନେ ମଧ୍ୟ ଧନତେରାସ ଦିନରେ ନିଜ ଘରେ ପ୍ରବେଶ କରୁଛନ୍ତି । ଆମ ସରକାର ଗରିବଙ୍କ ସରକାର । ସେ ଗରିବ ଲୋକଙ୍କ ଇଚ୍ଛାକୁ ଅଧିକ ବୁଝନ୍ତି । ଆମ ସରକାର ଦେଉଥିବା ଘରେ ସମସ୍ତ ସୁବିଧା ମଧ୍ୟ ଦିଆଯାଉଛି ।’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ମଧ୍ୟ କହିଛନ୍ତି ଯେ, ‘ପୂର୍ବରୁ ଯଦି ଗରୀବଙ୍କ ପାଇଁ ଘର ଘୋଷଣା କରାଯାଉଥିଲା, ତେବେ ସେମାନଙ୍କୁ ଜଳ, ବିଦ୍ୟୁତ୍ ପାଇଁ ଅନେକ ଚକ୍କର ମାରିବାକୁ ପଡ଼ୁଥିଲା । ପୂର୍ବ ସରକାରରେ ସମ୍ପୂର୍ଣ୍ଣ ପ୍ରକ୍ରିୟା କରିବା ପାଇଁ ଗରିବ ଲୋକଙ୍କୁ ଲାଞ୍ଚ ଦେବାକୁ ପଡୁଥିଲା । କିନ୍ତୁ ଏବେ ଘର ସହ ସମସ୍ତ ସୁବିଧା ଦିଆଯାଉଛି । ଆମ ସରକାର ପ୍ରତ୍ୟେକ ଗରିବ ଲୋକଙ୍କୁ ଘର ଯୋଗାଇବା ପାଇଁ କାର୍ଯ୍ୟ କରୁଛନ୍ତି ।’