fbpx

ପୋକରେ ଭିଟାମିନ୍ ଅଛି… ଚୁପଚାପ୍ ଖାଇଦିଅ: ମଧ୍ୟାହ୍ନ ଭୋଜନ ଖାଇବାକୁ ମନା କରିବାରୁ ଛାତ୍ରୀଙ୍କ ହାତ ଭାଙ୍ଗିଦେଲେ ପ୍ରିନ୍ସପାଲ

ନୂଆଦିଲ୍ଲୀ: ସ୍କୁଲ ପିଲାଙ୍କୁ ନିମ୍ନମାନର ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଉଥିବା ନେଇ ଅନେକ ସମୟରେ ଅଭିଯୋଗ ଆସିଥାଏ । ବେଳେବେଳେ ମଧ୍ୟାହ୍ନ ଭୋଜନରୁ ଝିଟିପିଟି, ଅସରପା, ବେଙ୍ଗ ପରି କୀଟ ପତଙ୍ଗ ମିଳିଥାନ୍ତି । ତେବେ ଅନୁରୂପ ଭାବେ ନିକଟରେ ଏକ ସ୍କୁଲରେ ଦେଖିବାକୁ ମିଳିଛି ଏକ ଘଟଣା । ସ୍କୁଲର ପ୍ରିନ୍ସିପାଲ ନିଜେ ପିଲାମାନଙ୍କୁ ପୋକ ଥିବା ମଧ୍ୟାହ୍ନ ଭୋଜନ ଖାଇବାକୁ କହିଥିଲେ । ଏହାକୁ ବିରୋଧ କରିବାରୁ ଶିକ୍ଷକ ମାଡ଼ ମାରି ଜଣେ ଛାତ୍ରୀଙ୍କ ହାତ ଭାଙ୍ଗି ଦେଇଛନ୍ତି ।

ସୂଚନା ମୁତାବକ, ବିହାରର ବୈଶାଲି ଜିଲ୍ଳାର ଲାଲଗଞ୍ଜ ଅତତୁଲ୍ଲାହପୁର ସ୍ଥିତ ଏକ ମିଡିଲ ସ୍କୁଲରେ ଏପରି ଏକ ଘଟଣା ଘଟିଛି । ସ୍କୁଲରେ ପିଲାଙ୍କୁ ମିଡ ଡେ’ ମିଲ ଦିଆଯାଉଥିବା ବେଳେ ସେଥିରୁ ଏକ ପୋକ ବାହାରିଥିଲା । ତେବେ ଏନେଇ ପିଲାମାନେ ପ୍ରିନ୍ସପାଲଙ୍କ ନିକଟରେ ଅଭିଯୋଗ କରିଥିଲେ । ମାତ୍ର ପ୍ରିନ୍ସପାଲଙ୍କ ନିର୍ଦ୍ଦେଶ ସମସ୍ତଙ୍କୁ ଚକିତ କରିଦେଥିଲା । ସାର୍ କହିଥିଲେ, ‘ପୋକରେ ଭିଟାମିନ୍ ଥାଏ…. ଚୁପଚାପ୍ ଖାଇଦିଅ’ ।

ତେବେ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବାକୁ ମନା କରିବାରୁ ପ୍ରିନ୍ସପାଲ ରାଗି ଯାଇଥିଲେ । ସେ ପିଲାଙ୍କୁ ପିଟିଥିଲେ ଓ ଏହାଦ୍ୱାରା ଜଣେ ଛାତ୍ରୀଙ୍କର ହାତ ଭାଙ୍ଗିଯାଇଥିଲା । ଏହି ଘଟଣାକୁ ନେଇ ପୀଡ଼ିତା ଛାତ୍ରୀଙ୍କ ଅଭିଭାବକ ସ୍କୁଲରେ ହଙ୍ଗାମା ସୃଷ୍ଟି କରିଥିଲେ । ପରେ ଏହି ଘଟଣା ଜିଲ୍ଲା ଶିକ୍ଷା ବିଭାଗ ନିକଟରେ ପଞ୍ଚିଥିଲା । ବିଭାଗ ପକ୍ଷରୁ ବର୍ତ୍ତମାନ ଏହି ଘଟଣାର ଯାଞ୍ଚ ଆରମ୍ଭ ହୋଇଛି । ଏନେଇ ଏକ ଟିମ୍ ସ୍କୁଲ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଯଦି ମାରପିଟ୍ ଅଭିଯୋଗ ସତ ପ୍ରମାଣିତ ହୁଏ, ତେବେ ପ୍ରିନ୍ସପାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତଦନ୍ତକାରୀ ଟିମ୍ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.