fbpx

ସ୍ଵାଧୀନତାର ୭୫ ବର୍ଷରେ କଏଦୀ ହେବେ ମୁକ୍ତ, ଏହି ପ୍ରକ୍ରିୟାରେ ଜେଲରୁ ମୁକୁଳିବେ, ରାଜ୍ୟକୁ ଆଦେଶ

ନୂଆଦିଲ୍ଲୀ: ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାର ରାଜ୍ୟସରକାରମାନଙ୍କୁ କିଛି ଖାସ୍ ଶ୍ରେଣୀର କଏଦୀଙ୍କ ଦଣ୍ଡକୁ କ୍ଷମା କରିବାକୁ କହିଛନ୍ତି। ୫୦ ବର୍ଷରୁ ଅଧିକ ବୟସର ମହିଳା ଏବଂ କିନ୍ନର ଦୋଷୀଙ୍କୁ ତିନି ପର‌୍ୟ୍ୟାୟରେ ମୁକ୍ତ କରାଯାଇ ପାରିବ ବୋଲି ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ କହିଛନ୍ତି। କିନ୍ତୁ ଏଥିରେ ସେମାନଙ୍କ ଚାଲିଚଳନ ଏବଂ ବ୍ୟବହାରକୁ ଧ୍ୟାନରେ ରଖାଯିବ। ଏଥିସହ ଏହାର ଲାଭ ସେହି କଏଦୀଙ୍କୁ ମିଳିବ, ଯାହାଙ୍କୁ ଗତ ତିନି ବର୍ଷରେ ବିଚାରଧୀନ କଏଦୀ ଭାବେ ଦଣ୍ଡ ମିଳିନାହିଁ ଏବଂ ନିଜ ଅଧା ସଜା ପୂରଣ କରିସାରିଛନ୍ତି। ଏମିତି କଏଦୀଙ୍କୁ ୨୦୨୩ ସ୍ଵାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସରେ ମୁକ୍ତ କରାଯିବ। ପୁରୁଷ କଏଦୀଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ କରାଯିବ। କିନ୍ତୁ ସେମାନଙ୍କର ବୟସ ୬୦ ବର୍ଷରୁ ଅଧିକ ହୋଇଥିବା ଦରକାର।

ଗୃହ ମନ୍ତ୍ରଣାଳୟର ଚିଠି ମୁତାବକ, ବିଶେଷ ଯୋଜନା ଆଧାରରେ ଯେଉଁ ଅନ୍ୟ ଲୋକଙ୍କୁ କ୍ଷମା କରାଯାଇ ପାରିବ, ସେଥିରେ ୭୦ ପ୍ରତିଶତ କିମ୍ବା ସେଥିରୁ ଅଧିକ ଦିବ୍ୟାଙ୍ଗ ଅପରାଧି ଏବଂ ମାନସିକ ଭାବେ ରୋଗୀଣା କଏଦୀ ସାମିଲ୍। ଯୋଜନାରେ ଗରିବ କଏଦୀ ମଧ୍ୟ ସାମିଲ୍। ଯେଉଁମାନେ ସଜା ପୂରା କରି ସାରିଛନ୍ତି କିନ୍ତୁ ଜୋରିନାମା ନ ଭରି ପାରିବା କାରଣରୁ ଜେଲରେ ଅଛନ୍ତି। ସେହି କଏଦୀଙ୍କ ସଜାକୁ ମଧ୍ୟ କ୍ଷମା କରାଯିବ ଯେଉଁମାନେ ୧୮ରୁ ୨୧ ବର୍ଷ ବୟସରେ ଅପରାଧ କରିଛନ୍ତି। ବିଶେଷ କରି ଯେଉଁମାନଙ୍କ କୌଣସି ଅପରାଧରେ ସଂପୃକ୍ତିନଥିବ ଏବଂ ନିଜ ସଜାର ୫୦ ପ୍ରତିଶତ ପୂରଣ କରି ସାରିଥିବେ।

ଏହି ମାନେ ଯୋଗ୍ୟ ନୁହନ୍ତି

ଯୌତୁକଜନିତ ହତ୍ୟା, ନକଲି ଭାରତୀୟ ମୁଦ୍ରା, ମାନବ ଚାଲାଣ ଏବଂ ଶିଶୁ ଯୌନ ଶୋଷଣରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ଏହି ଯୋଜନାର ଲାଭ ମିଳିବ ନାହିଁ। ଆର୍ଥିକ ଅପରାଧ ଏବଂ ଡ୍ରଗ୍ସ ମାମଲାରେ ଦୋଷୀଙ୍କୁ ମଧ୍ୟ ଏହି ଯୋଜନାରୁ ବାହାରେ ରଖାଯାଇଛି।

ମୃତ୍ୟୁଦଣ୍ଡ ପାଇଥିବା ଦୋଷୀଙ୍କୁ ମିଳିବ ନାହିଁ ଲାଭ

ଦୋଷୀଙ୍କ ବୟସ ଦଶମ ବୋର୍ଡ ସାର୍ଟିଫିକେଟ୍ କିମ୍ବା ଜନ୍ମ ପ୍ରମାଣ ପତ୍ର ଅନୁସାରେ ସ୍ଥିର କରାଯିବ। ମାର୍ଗଦର୍ଶିକାରେ କୁହାଯାଇଛି, ଦୁଇଟି କାଗଜପତ୍ର ନଥିଲେ ନିମ୍ନ ଅଦାଲତର ରାୟରେ ଦିଆଯାଇଥିବା ବୟସକୁ ବୈଧ୍ୟ ଭାବେ ଗ୍ରହଣ କରାଯିବ। ମୃତ୍ୟୁ ଦଣ୍ଡରେ ଦଣ୍ଡିତ ଦୋଷୀ କିମ୍ବା ଯାହାଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାବାସରେ ବଦଳା ଯାଇଛି, ସେମାନଙ୍କୁ ଯୋଜନାର ଲାଭ ମିଳିବ ନାହିଁ।

ଗୃହ ମନ୍ତ୍ରଣାଳୟ ସମସ୍ତ କଏଦୀଙ୍କ ରେକର୍ଡ ସମୀକ୍ଷା କରିବା ଏବଂ ଯୋଗ୍ୟ ଲୋକଙ୍କ ଚିହ୍ନଟ କରିବା ପାଇଁ ରାଜ୍ୟସ୍ତରୀୟ ସ୍କ୍ରିନିଂ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛି। ସୁପାରିଶ ମିଳିବା ପରେ ରାଜ୍ୟ ସରକାରଙ୍କ ତରଫରୁ ଏହାର ଯାଞ୍ଚ କରାଯିବ। ଅଧିକାରୀ କହିଛନ୍ତି, ରାଜ୍ୟ ସରକାର ସୁପାରିଶକୁ ବିଚାର କରିବା ଏବଂ ଅନୁମୋଦନ ପାଇଁ ରାଜ୍ୟପାଳଙ୍କୁ ରିପୋର୍ଟ ଦେବେ।

Get real time updates directly on you device, subscribe now.