fbpx

କଏଦୀମାନେ ହେବେ Radio Jockey: ରାଜ୍ୟର ଦୁଇଟି ଜେଲରେ ଖୋଲିବ FM Radio ଷ୍ଟେସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର କଏଦୀମାନେ ହେବେ ରେଡିଓ ଜକି । ରାଜ୍ୟର ଚୌଦ୍ୱାର ସର୍କଲ ଜେଲ ଓ ଭୁବନେଶ୍ୱର ସ୍ୱତନ୍ତ୍ର ଜେଲରେ ଖୁବଶୀଘ୍ର ଖୋଲିବ ଏଫଏମ ଷ୍ଟେସନ । କଏଦୀମାନେ ନିଜର କଳାକୌଶଳ ମାଧ୍ୟମରେ ସେମାନଙ୍କର ସାଥୀ କଏଦୀଙ୍କର ମନୋରଞ୍ଜନ କରିବେ । ଏହି ଷ୍ଟେସନମାନଙ୍କରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ କେବଳ ଜେଲ ଭିତରେ ସୀମିତ ରହିବ ବୋଲି ଜଣାପଡ଼ିଛ ।

ସାଧାରଣ ଭାବେ ଅନେକ କଏଦୀ ମାନସିକ ଅବସାଦ କାରଣରୁ ବିଭିନ୍ନ ବିକାରଗସ୍ତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏଣିକି ଜେଲ ଆଉ ଦଣ୍ଡଯୁକ୍ତ ଅଞ୍ଚଳ ଭାବେ ସୀମିତ ନରହି ମନୋରଞ୍ଜନ କାର୍ଯ୍ୟକ୍ରମର ପରିସର ପାଲଟିବ । ସକାଳଠାରୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଚାଲିବ । ଭୁବନେଶ୍ୱର ଓ ଚୌଦ୍ୱାରରେ ଖୋଲିବାକୁ ଥିବା ଏଏମଫ୍ ରେଡିଓ ଷ୍ଟେସନକୁ ପ୍ରତି ୱାର୍ଡ ଓ ସେଲ ସହିତ ସଂଯୋଗ କରାଯିବ ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ କଏଦୀମାନେ ଗୀତ ଗାଇବା, ବାଦ୍ୟଯନ୍ତ୍ର ବଜାଇବା, ନିଜ ଜୀବନର କାହାଣୀ କହିବା, ଦକ୍ଷତା ପ୍ରଦର୍ଶନ କରିବା ଆଦି କ୍ଷେତ୍ରରେ ନିଜକୁ ସାମିଲ କରିପାରିବେ । କଏଦୀଙ୍କର ଜନ୍ମଦିନ କିମ୍ବା ବିବାହ ବାର୍ଷିକୀ ଅବସରରେ ଏହି ରେଡିଓ ଷ୍ଟେସନ ମାଧ୍ୟମରେ ସେମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ଦିଆଯିବ । ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଇଛି । ଆଗକୁ ପୁରୀ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଜେଲରେ ଏହି ଷ୍ଟୁଡିଓ ଖୋଲାଯିବ ବୋଲି ଜଣାପଡ଼ିଛି । ପୂର୍ବରୁ ରେଡିଓ ଷ୍ଟେସନ ଖୋଲିବା ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଥିଲା ।

Get real time updates directly on you device, subscribe now.