ମୁମ୍ବାଇ: ଖିଲାଡି ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ “ପୃଥ୍ୱୀରାଜ” ରିଲିଜ୍ ପୂର୍ବରୁ ହିଁ ବିବାଦକୁ ଚାଲି ଆସିଛି । ଚଣ୍ଡିଗଡର ଅଖିଳ ଭାରତୀୟ କ୍ଷତ୍ରିୟ ମହାସଭା ପକ୍ଷରୁ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଛି । ଦେଶର ବିଭିନ୍ନ ସ୍ଥାନରେ ଥିବା କ୍ଷତ୍ରିୟ ମହାସଭା ପକ୍ଷରୁ ଫିଲ୍ମକୁ ଜୋରଦାର୍ ବିରୋଧ ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳିଛି । ଏଥିସହିତ ସେମାନେ ଚେତାବନୀ ଦେଇଛନ୍ତି ଯେ, ଏହାକୁ ଦେଶବ୍ୟାପୀ ବିରୋଧ କରାଯିବ । ଏହାସହ ଅଭିନେତା ଏବଂ ଫିଲ୍ମ ମେକର୍ସ ମାନଙ୍କ ଆଗରେ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି ।
ସଂଗଠନର କର୍ମକର୍ତ୍ତା ମାନେ କହିଛନ୍ତି ଯେ, ଫିଲ୍ମର ନାମ କେବଳ ‘ପୃଥ୍ୱୀରାଜ’ ହୋଇପାରିବ ନାହିଁ । ଏହା ବଦଳରେ “ହିନ୍ଦୁ ସମ୍ରାଟ ପୃଥ୍ୱୀରାଜ ଚୌହାନ” କିମ୍ବା ‘ସମ୍ରାଟ ପୃଥ୍ୱୀରାଜ ଚୌହାନ” ହେବା କଥା । କାରଣ ପୃଥ୍ୱୀରାଜ ଚୌହାନ ଜଣେ ହିନ୍ଦୁ ସମ୍ରାଟ ଥିଲେ । ତେଣୁ ତାଙ୍କ ନାମ ସମ୍ମାନର ସହିତ ଉଚ୍ଚାରଣ କରିବା ତଥା ଫିଲ୍ମରେ ରଖାଯିବା କଥା । ଏଥିସହିତ ସେମାନେ ଆହୁରି ମଧ୍ୟ ଦାବି ରଖିଛନ୍ତି ଯେ, ଫିଲ୍ମ ରିଲିଜ୍ ପୂର୍ବରୁ କ୍ଷତ୍ରିୟ ସମାଜର ବରିଷ୍ଠ ପ୍ରତିନିଧି ମାନଙ୍କୁ ଫିଲ୍ମର ସ୍କ୍ରିପ୍ଟ ଦେଖାଇବେ ଏବଂ ଫିଲ୍ମର ସ୍କ୍ରିନିଂ ମଧ୍ୟ କରିବାକୁ ହେବ । ଏଥିସହିତ କ୍ଷତ୍ରିୟ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇ ଥିବାରୁ କ୍ଷମା ପ୍ରାର୍ଥନା କରିବାକୁ କହିଛନ୍ତି ।
ତେବେ କିଛି ଦିନ ହେବ ଏହାକୁ ବିରୋଧ କରି କ୍ଷତ୍ରିୟ ମହାସଭା ପକ୍ଷରୁ ବିରୋଧ ପ୍ରଦର୍ଶନ କରିବାକୁ ଯାଇ ଅକ୍ଷୟ କୁମାର ଏବଂ ଚନ୍ଦ୍ରପ୍ରକାଶ ତ୍ରିବେଦୀଙ୍କ କୁଶପୁତ୍ତଳିକା ଦାହ କରିଥିବା ସହିତ ଫିଲ୍ମକୁ ବିରୋଧ କରି ସ୍ଲୋଗାନ୍ ଦେଇଥିଲେ । ଅଲ ଇଣ୍ଡିଆ କ୍ଷତ୍ରିୟ ମହାସଭାର ଯୁବ ୱିଙ୍ଗ କାର୍ଯ୍ୟକାରୀ ସଭାପତି ଶାନ୍ତନୁ ଚୌହାନ କହିଛନ୍ତି ଯେ ୟଶ ରାଜ ଫିଲ୍ମ, ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ଏବଂ ଅକ୍ଷୟ କୁମାରଙ୍କ ଦ୍ୱାରା ହିନ୍ଦୁ ସମ୍ରାଟ ପୃଥ୍ୱୀରାଜ ଚୌହାନ” ଜିଙ୍କ ଅପମାନ ଗ୍ରହଣ କରାଯିବ ନାହିଁ ।