fbpx

ଆଜି ରାଜ୍ୟରେ ଗଡ଼ୁନି ଘରୋଇ ବସ୍ ; ରାଜ୍ୟବ୍ୟାପୀ ୧୪ ହଜାର ବସ୍ ଚଳାଚଳ ବନ୍ଦ

ଭୁବନେଶ୍ୱର; ରାଜ୍ୟରେ ଗଡ଼ୁନି ଘରୋଇ ବସ୍ । ନିଜ ନିଷ୍ପତିରେ ଅଟଳ ରହି ଆଜିଠାରୁ ଧର୍ମଘଟ ଆରମ୍ଭ କରିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ସକାଳ ୬ଟାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଧର୍ମଘଟ ଚାଲିବ ବୋଲି ଗତକାଲି ପ୍ରେସମିଟରେ ସ୍ପଷ୍ଟ କରିଥିଲେ ସଙ୍ଘର ସମ୍ପାଦକ ଦେବେନ୍ଦ୍ର ସାହୁ । ସରକାରଙ୍କ ଲିଖିତ ପ୍ରତିଶୃତି ନ ମିଳିବାରୁ ଧର୍ମଘଟ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ତେବେ ପୂର୍ବ ଘୋଷଣା ମୁତାବକ ୨୦ ତାରିଖ ଅର୍ଥାତ ଆଜିଠାରୁ ରାଜ୍ୟରେ ସମସ୍ତ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି। ଫଳରେ ରାଜ୍ୟବ୍ୟାପୀ ଆଜି ୧୪ ହଜାର ଘରୋଇ ବସ ଚଳାଚଳ ବନ୍ଦ ରହିଛି ।

ସରକାରଙ୍କ “ଲକ୍ଷ୍ମୀ” ଯୋଜନାକୁ ବିରୋଧ କରି ରାଜ୍ୟ ଘରୋଇ ବସ ମାଲିକ ସଂଘ ଏହି ଧର୍ମଘଟ କରିବାକୁ ଯାଉଛି । “ଲକ୍ଷ୍ମୀ” ଯୋଜନା ଭଳି ଏକ ଭୁଲ ସ୍କିମକୁ ସରକାର ବନ୍ଦ କରନ୍ତୁ ବୋଲି ସଙ୍ଘ ଦାବି କରିଛି । ଯଦି ସରକାର ଚାହୁଁଛନ୍ତି ତେବେ ସେ ଗାଁ’ରୁ ବ୍ଲକ ପର୍ୟ୍ୟନ୍ତ ସରକାରୀ ବସ ଚଲାନ୍ତୁ । କିନ୍ତୁ ବ୍ଲକରୁ ଜିଲ୍ଲା କିମ୍ବା ସହରକୁ କୌଣସି ସରକାରୀ ବସ ନ ଚଲାନ୍ତୁ ବୋଲି ସଙ୍ଘ ସରକାରଙ୍କ ପାଖରେ ଦାବି କରିଛି। ଏଥିସହ ସରକାରଙ୍କୁ ଏହାର ଏକ ଲିଖିତ ପ୍ରତିଶୃତି ମାଗିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ଯଦି ସରକାରଙ୍କ ଠାରୁ ଏହି ଲିଖିତ ପ୍ରତିଶୃତି ମିଳେ ତେବେ ସଙ୍ଘ ଧର୍ମଘଟରୁ ଓହରିଯିବ ବୋଲି ମଧ୍ୟ କୁହାଯାଇଛି ।

ସୂଚନା ଥାଉକି, ଗତକାଲି ପରିବହନ ମନ୍ତ୍ରୀ ଟୁକୁନି ସାହୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘକୁ ଧର୍ମଘଟ ନ କରିବାକୁ ଅନୁରୋଧ କରିଥିଲେ । ଜନ ସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୂଜା ପାର୍ବଣ ସମୟରେ ଯାତ୍ରୀଙ୍କ ଅସୁବିଧା ନ ହେଉ, ବସମାଲିକ ସଂଘ ଏକ ତରଫା ନିଷ୍ପତ୍ତି ନ ନିଅନ୍ତୁ ବୋଲି ସଂଘକୁ ଅନୁରୋଧର ସହ କହିଥିଲେ ମନ୍ତ୍ରୀ ଟୁକୁନି ସାହୁ । ଆସନ୍ତା ୨୬ ତାରିଖରେ ସରକାରଙ୍କ ସହ ବସ୍ ମାଲିକ ସଂଘ ଆଲୋଚନା ଅଛି । ତେଣୁ ବସମାଲିକ ସଂଘ ସରକାରଙ୍କୁ ସହଯୋଗ କରିବେ ବୋଲି ମୋର ଆଶା ବୋଲି ପରିବହନ ମନ୍ତ୍ରୀ କହିଥିଲେ। ମାତ୍ର ନିଜ ନିଷ୍ପତିରେ ଅଟଳ ରହି ଆଜିଠାରୁ ଧର୍ମଘଟ ଆରମ୍ଭ କରିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ ।

Get real time updates directly on you device, subscribe now.