fbpx

‘ସବୁ ଧର୍ମର ସମ୍ମାନ’, ମିଳିତ ଜାତିସଂଘ ପର୍ଯ୍ୟନ୍ତ ପହଞ୍ଚିଲା ପୈଗମ୍ବର ମହମ୍ମଦ ବିବାଦ

Advertisement

ନୂଆଦିଲ୍ଲୀ: ପୈଗମ୍ବର ମହମ୍ମଦଙ୍କ ବିରୋଧରେ ବିଜେପି ମୁଖପାତ୍ରଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ଅନେକ ମୁସଲିମ ଦେଶ କଡା ଆପତ୍ତି ପ୍ରକାଶ କରିଛନ୍ତି। ଏହି ମାମଲା ବର୍ତ୍ତମାନ ମିଳିତ ଜାତିସଂଘରେ ଯାଇ ପହଞ୍ଚିଛି। ମିଳିତ ଜାତିସଂଘର ମହାସଚିବ ଆଣ୍ଟେନିଅ ଗୁଟେରସଙ୍କ ମୁଖପାତ୍ରଙ୍କ ତରଫରୁ ଏ ସଂପର୍କରେ ବୟାନ ଆସିଛି। ସେ କହିଛନ୍ତି ଅନ୍ତର୍ଜାତୀୟ ସଂଗଠନ ସମସ୍ତ ଧର୍ମ ପ୍ରତି ସମ୍ମାନ ଏବଂ ସହିଷ୍ଣୁତାକୁ ଦୃଢତାର ସହ ପ୍ରୋତ୍ସାହିତ କରୁଛି।

ପାକିସ୍ତାନର ଜଣେ ସାମ୍ବାଦିକ ପୈଗମ୍ବର ମହମ୍ମଦଙ୍କ ବିରୋଧରେ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ଦ୍ଵାରା ଦିଆଯାଇଥିବା ବିବାଦୀୟ ଟିପ୍ପଣୀ ଉଠାଇଥିଲେ। ଏହା ଉପରେ ଅନେକ ମୁସଲିମ ଦେଶ ନିନ୍ଦା ପ୍ରକାଶକ କରିଥିବା କଥା ଉଠାଇ ମିଳିତ ଜାତିସଂଘର ମହାସଚିବଙ୍କ ପ୍ରତିକ୍ରିୟା ବିଷୟରେ ପ୍ରଶ୍ନ କରିଥିଲେ। ଏହାର ଜବାରରେ ତାଙ୍କ ମୁଖପାତ୍ର ଷ୍ଟିଫେନ ଦୁଜାରିକ ଉପରୋକ୍ତ ବୟାନ ଦେଇଛନ୍ତି।

ଦୁଜାରିକ କହିଛନ୍ତି, ମୁଁ ଏ ସମ୍ଵନ୍ଧରେ ଖବର ଦେଖିଛି। ମୁଁ ଟିପ୍ପଣୀ ମଧ୍ୟ ଦେଖିଛି। ମୁଁ ଆପଣଙ୍କୁ ଜଣାଇ ଦେବାକୁ ଚାହୂଁଛି ଯେ, ଆମେ ସବୁ ଧର୍ମ ପ୍ରତି ସମ୍ମାନ ଏବଂ ସହିଷ୍ଣୁତାର ଭାବକୁ ଦୃଢତାର ସହ ପ୍ରୋତ୍ସାହିତ କରିଥାଉ। ଉଲ୍ଲେଖନୀୟ ପୈଗମ୍ବର ମହମ୍ମଦଙ୍କ ବିରୋଧରେ ଟିପ୍ପଣୀକୁ ଅନେକ ମୁସଲିମ ଦେଶ ବିରୋଧ କରିଛନ୍ତି। ବିଜେପି ନେତା ଶର୍ମାଙ୍କୁ ରବିବାର ପାର୍ଟିର ନିଲମ୍ବିତ କରାଯାଇଥିବା ବେଳେ ଦିଲ୍ଲୀ ବିଜେପି ରାଜ୍ୟ ମିଡିଆ ପ୍ରଭାରୀ ନବୀନ କୁମାର ଜିନ୍ଦଲଙ୍କୁ ପାର୍ଟିରୁ ବହିଷ୍କାର କରାଯାଇଛି।

ଏହା ପୂର୍ବରୁ କାତାର, ଇରାନ ଏବଂ କୁଏତ ପୈଗମ୍ବର ମହମ୍ମଦଙ୍କ ବିଷୟରେ ବିଜେପି ନେତାଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ରବିବାର ଭାରତୀୟ ରାଜଦୂତଙ୍କୁ ତଲବ କରିଥିଲେ। ଉପସାଗରୀୟ କ୍ଷେତ୍ରର ମହତ୍ଵପୂର୍ଣ୍ଣ ଦେଶ ଏହି ଟିପ୍ପଣୀକୁ ନିନ୍ଦା କରି କଡା ଆପତ୍ତି ପ୍ରକାଶ କରିଛନ୍ତି।

Get real time updates directly on you device, subscribe now.