fbpx

ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ପୂରଣ କରିବାକୁ ପଡ଼ିବ ଏହିସବୁ ବଡ଼ ଚ୍ୟାଲେଞ୍ଜ, ଜାଣନ୍ତୁ କ’ଣ ସେସବୁ

ନୂଆଦିଲ୍ଲୀ: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ ହୋଇଥିବା ଚରଣଜିତ ସିଂହ ଚନ୍ନିଙ୍କୁ ଚୟନ କରାଯାଇଥିଲେ ହେଁ ତାଙ୍କର ଯାତ୍ରା ଏତେ ସହଜ ହେବ ନାହିଁ । ବିଧାନସଭା ନିର୍ବାଚନକୁ କମ ସମୟ ବାକି ଥିବାବେଳେ ୪ ମାସ ମଧ୍ୟରେ ଅନେକ ବଡ଼ ବଡ଼ ଚ୍ୟାଲେଞ୍ଜର ସାମ୍ନା ତାଙ୍କୁ କରିବାକୁ ପଡ଼ିବ । ୨୦୨୨ ନିର୍ବାଚନରେ କଂଗ୍ରେସର କ୍ଷମତାକୁ ବଳବତ୍ତର ରଖିବା ଚନ୍ନିଙ୍କ ପାଇଁ ସବୁଠାରୁ ବଡ଼ ଆହ୍ୱାନ ହେବ ବୋଲି କୁହାଯାଉଛି ।

ଚନ୍ନି ପଞ୍ଜାବର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ବେଳେ ସେ ମୁଖ୍ୟ ଚେହେରା ହୋଇ ନିର୍ବାଚନ ମଇଦାନକୁ ଓହ୍ଲାଇବେ । ଅକାଳୀ ଦଳ, ବିଜେପି ଓ ଆମ୍ ଆଦମୀ ପାର୍ଟି (ଆପ୍) ପ୍ରମୁଖ ବିରୋଧୀ ଦଳ ନିଜ ନିଜର ନିର୍ବାଚନ ଅଭିଯାନରେ ବ୍ୟସ୍ତ ରହିଥିବା ବେଳେ ସେମାନଙ୍କୁ ମୁକାବିଲା କରିବାକୁ ଯୋଜନା ପ୍ରସ୍ତୁତ କରିବେ ଚନ୍ନି । ଚନ୍ନିଙ୍କୁ ସରକାର ଠାରୁ ଆରମ୍ଭ କରି ସଂଗଠନକୁ ନେଇ ନିଜକୁ ପ୍ରମାଣିତ କରିବାକୁ ପଡ଼ିବ । ପୂର୍ବରୁ କଂଗ୍ରେସରେ ଅନେକ ଆଭ୍ୟନ୍ତରୀଣ କନ୍ଦଳ ରହିଥିବା ପଦାକୁ ଆସିଥିଲା । ତେଣୁ ତାହାକୁ ପ୍ରତିହତ କରିବା ତାଙ୍କ ପାଇଁ ଆହ୍ୱାନ ହେବ । ରାଜ୍ୟରେ କ୍ଷମତା ହାତେଇବାକୁ ହେଲେ ହିନ୍ଦୁ ଓ ଶିଖ ସମ୍ପ୍ରଦାୟ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ପଡ଼ିବ । ରାଜ୍ୟର ୩୨ ପ୍ରତିଶତ ଦଳିତ ଭୋଟ ବ୍ୟାଙ୍କକୁ ହାତେଇବା ପାଇଁ କଂଗ୍ରେସ ଚନ୍ନିଙ୍କୁ ଏହି ଦାୟିତ୍ୱ ଅର୍ପଣ କରିଥିବାରୁ ଏହା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ । ଆଗାମୀ ୪ ମାସ ମଧ୍ୟରେ ନିର୍ବାଚନ ହେଲେ କଂଗ୍ରେସକୁ ବିଜୟ ମିଳିବା ଆଶା ଅଧିକ ରହିଥିବାରୁ ଦଳ କ୍ୟାପ୍ଟେନଙ୍କୁ ବଦଳାଇ ଚନ୍ନିଙ୍କୁ ବାଛିଥିଲା । ମାତ୍ର ବିରୋଧୀଙ୍କର ନିର୍ବାଚନ ସୁନାମୀକୁ ଚନ୍ନି କିପରି ମୁକାବିଲା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.