ଓଡ଼ିଶା ଭାସ୍କର: ଆଜି ରବିବାର ଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଗହଳି ଲାଗିଥିଲା। ପ୍ରାୟ ବଡ଼ଦାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ ଏହି ଗହଳି ଦେଖିବାକୁ ମିଳିଥିଲା। ସେହିପରି ଶ୍ରୀମନ୍ଦିର ବାହାର ଓ ଭିତରକାଠ ନିକଟରେ ମଧ୍ୟ ଭକ୍ତମାନଙ୍କର ଜନଗହଳି ଥିଲା। ତେବେ ମଧ୍ୟାହ୍ନ ଧୂପ ଶେଷ ପରେ ଭିତର କାଠ ଦର୍ଶନ ସମୟରେ ଜଣେ ଭକ୍ତ ଜୟ ବିଜୟ ଦ୍ଵାର ଭିତର ପାହାଚ ନିକଟରେ ବାନ୍ତି କରି ଦେବା ଦୃଷ୍ଟିକୁ ଆସିଥିଲା। ତେଣୁ ମହାପ୍ରଭୁଙ୍କ ବଡ ମହାସ୍ନାନ କରିବାକୁ ପଡିଥିଲା। ଫଳରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିରେ ସାମାନ୍ୟ ବିଳମ୍ବ ଦେଖାଯାଇଛି। ଅନ୍ୟପଟେ ସାଧାରଣ ଦର୍ଶନ ମଧ୍ୟ କିଛି ସମୟ ପାଇଁ ବନ୍ଦ ରଖାଯାଇଥିବାରୁ ଭକ୍ତମାନଙ୍କୁ ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିଛି।
ସୂଚନା ଅନୁଯାୟୀ, ଅପରାହ୍ନ ୪ଟା ୪୦ରେ ବଡ଼ମହାସ୍ନାନ ହେଲା ପରେ ସନ୍ଧ୍ୟା ସାଢ଼େ ୫ଟାରେ ଧୁଆଧୋଇ ହୋଇ ଚୁନପାଣି ପଡ଼ିଥିଲା। ୫ଟା ୪୫ରେ ମଇଲମ, ୬ଟା ୧୦ରେ ସିଂହାସନ ଧୁଆ, ୬ଟା ୨୦ରୁ ୬ଟା ୩୦ ପର୍ୟ୍ୟନ୍ତ ମହାସ୍ନାନ ପୂଜା କରାଯିବା ପରେ ୨ୟ ଭୋଗମଣ୍ଡପ ଉଠିଥିଲା। ଏବଂ ଏହି ଅଘଟଣ ପାଇଁ ସାଧାରଣ ଦର୍ଶନ ପ୍ରଭାବିତ ହୋଇଛି।