fbpx

ଆଜି ଶ୍ରୀମନ୍ଦିରରେ ୨ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ(ଓଡ଼ିଶା ଭାସ୍କର): ଶନିବାର ଅର୍ଥାତ୍ ଆଜି ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ । ତେଣୁ ତାଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ୨ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମହାମହିମ ରାଷ୍ଟ୍ରପତି ଆଜି ଅପରାହ୍ନ ୩ଟା ୩୫ରେ ପୁରୀରେ ହେଲିପ୍ୟାଡ୍ ରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ରାଜଭବନକୁ ଯିବେ । ସେଠାରେ ସେ କିଛି ସମୟ ବିଶ୍ରାମ ନେବାପରେ ଅପରାହ୍ନ ୪.୫୦ରେ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ । ଅପରାହ୍ନ ୫ଟା ୪୫ ପର୍ୟ୍ୟନ୍ତ ସେ ଶ୍ରୀମନ୍ଦିରରେ ରହିବା ସହ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏଥିନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅପରାହ୍ନ ୪ଟାରୁ ୬ଟା ଯାଏ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରଖାଯାଇଛି । ଶ୍ରୀମନ୍ଦିରରୁ ଫେରିବା ପରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ରାଜଭବନ ଫେରିଯାଇ ସେଠାରେ ରାତ୍ରିଯାପନ କରିବାର କାର୍ୟ୍ୟକ୍ରମ ସ୍ଥିର ହୋଇଛି ।

ପରଦିନ ଅର୍ଥାତ୍‌ ୨୦ ତାରିଖରେ ସେ ଗୌଡୀୟ ମଠ ପରିଦର୍ଶନ କରିବାର କାର୍ୟ୍ୟକ୍ରମ ରହିଛି । ପୂର୍ବାହ୍ନ ୧୨ଟାରେ ରାଷ୍ଟ୍ରତି ଶରଧାବାଲିରେ ଆୟୋଜିତ ବିଶ୍ୱ ବୈଷ୍ଣବ ସମ୍ମିଳନୀକୁ ଉଦ୍‌ଘାଟନ କରିବା ସହ ସମ୍ଭାଷଣ କରିବାର କାର୍ୟ୍ୟକ୍ରମ ସ୍ଥିର ହୋଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଶୁକ୍ରବାର ପୋଲିସ ପ୍ରଶାସନ ପକ୍ଷରୁ କାର୍‌କେଡ୍‌ ରାଲି କରାଯାଇଥିଲା । ତାଙ୍କ ସୁରକ୍ଷା ନେଇ ବ୍ୟାପକ ବନ୍ଦୋବସ୍ତ ମଧ୍ୟ କରାଯାଇଛି । ୪୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବା ସହ ସୁରକ୍ଷା ତଦାରଖ ପାଇଁ ୨୦୦ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।

Get real time updates directly on you device, subscribe now.