fbpx
BSKY
BJD MC SKY
BJD MS SKY

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ରଘୁବର ଦାସ

ଓଡିଶା ଭାସ୍କର; ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ଶ୍ରୀ ରଘୁବର ଦାସ । ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି ବିଦ୍ୟୁତରଞ୍ଜନ ଷଡଙ୍ଗୀ। ଶପଥପାଠ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି ପ୍ରମିଳା ମଲ୍ଲିକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟାନ ମନ୍ତ୍ରୀଗଣ ଉପସ୍ଥିତ ଥିଲେ। ରାଜଭବନ ଅଭିଷେକ ହଲରେ ସକାଳ ୧୧ଟା ୪୫ମିନିଟରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଗତକାଲି ଶ୍ରୀମନ୍ଦିର ଦର୍ଶନ ସାରି ଶ୍ରୀ ରଘୁବର ଦାସ ରାଜଭବନରେ ପହଞ୍ଚିଥିଲେ । ଏହି ଅବସରରେ ନୂଆ ରାଜ୍ୟପାଳ ଭାବେ ତାଙ୍କୁ ରାଜଭବନରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତେ ତାଙ୍କୁ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିଲେ ।

ସୂଚନା ଯୋଗ୍ୟ, ଶ୍ରୀ ଦାସ ୧୯୫୫ ମସିହାରେ ମେ’ ୩ ତାରିଖରେ ଜାମସେଦପୁରରେ ଜନ୍ମଗ୍ରହଣ କରିଥିଲେ। ଜାମସେଦପୁର କୋଅପରେଟିଭ୍ କଲେଜରୁ ଶିକ୍ଷା ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରି ଟାଟା ଷ୍ଟିଲ୍ କମ୍ପାନୀରେ ଯୋଗ ଦେଇଥିଲେ। ୧୯୭୭ରେ ଜନତା ପାର୍ଟିରେ ଯୋଗଦାନ ଏବଂ ପରେ ୧୯୮୦ରେ ବିଜେପିର ପ୍ରତିଷ୍ଠାତା ସଦସ୍ୟ ରହିଥିଲେ। ରଘୁବର ୫ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଝାଡ଼ଖଣ୍ଡର ଉପମୁଖ୍ୟମନ୍ତ୍ରୀ ଓ ପରବର୍ତ୍ତୀ ସମୟରେ ଝାଡ଼ଖଣ୍ଡର ଷଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ଅବସ୍ଥାପିତ ହୋଇଥିଲେ। ସେ ଝାଡ଼ଖଣ୍ଡ ରାଜ୍ୟ ବିଜେପିର ସଭାପତି ଭାବରେ ଦୁଇଥର ମଧ୍ୟ କାର୍ୟ୍ୟ କରିଛନ୍ତି। ଜାମସେଦପୁର (ପୂର୍ବ) ବିଧାନସଭା ଆସନରୁ ସେ ବିହାର ବିଧାନସଭାକୁ ୧୯୯୫ରେ ନିର୍ବାଚିତ ହୋଇଥିଲେ ଏବଂ ୨୦୦୪ରେ ଝାଡ଼ଖଣ୍ଡ ରାଜ୍ୟ ବିଜେପିର ସଭାପତି ରୂପେ ଅବସ୍ଥାପିତ ହୋଇଥିଲେ।

୨୦୦୫ରେ ଅର୍ଜୁୁନ ମୁଣ୍ଡାଙ୍କ ନେତୃତ୍ବାଧୀନ ଝାଡ଼ଖଣ୍ଡ ବିଜେପି ସରକାରରେ ସେ ସହରାଞ୍ଚଳ ବିକାଶ ମନ୍ତ୍ରୀ ରୂପେ ଦାୟିତ୍ବ ତୁଲାଇଥିଲେ। ୨୦୦୯ରେ ସେ ଶିବୁ ସୋରେନଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ ହୋଇଥିଲେ। ୨୦୧୪ରେ ସେ ବିଜେପି ଜାତୀୟ କମିଟିରେ ସ୍ଥାନ ପାଇଥିଲେ ଓ ତାଙ୍କୁ ଦଳର ରାଷ୍ଟ୍ରୀୟ ଉପସଭାପତି ପଦ ମିଳିଥିଲା। ସେହିବର୍ଷ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଝାଡ଼ଖଣ୍ଡର ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇଥିଲେ ରଘୁବର ଦାସ। ସୂଚନାଯୋଗ୍ୟ, ପ୍ରଫେସର ଗଣେଶୀ ଲାଲଙ୍କ କାର୍ୟ୍ୟକାଳ ଗତ ମେ’ ୨୯ ତାରିଖରେ ଶେଷ ହୋଇଥିଲା। ଏହାପରେ ନୂତନ ରାଜ୍ୟପାଳଙ୍କ ନାମ ଘୋଷଣା ହୋଇନଥିବାରୁ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ଶନିବାର ଦିନ ରଘୁବର ଦାସ ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ଦଳର ପ୍ରାଥମିକ ସକ୍ରିୟ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଥିଲେ ।

Get real time updates directly on you device, subscribe now.