fbpx

ସୋନିଆଙ୍କ ବିରୋଧରେ ଇଡିର କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଧାରଣା ଦେଉଥିଲେ ରାହୁଲ, ଉଠାଇନେଲା ପୋଲିସ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଦ୍ଵିତୀୟ ଦିନ ପଚରା ଉଚୁରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପହଞ୍ଚିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ହେଲେ ଇଡିର ଏହି କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ କଂଗ୍ରେସ ସଡକରୁ ସଂସଦ ପର‌୍ୟ୍ୟନ୍ତ ଜୋରଦାର ବିରୋଧ ପ୍ରଦର୍ଶନ କରୁଛି। ସଂସଦରେ କଂଗ୍ରେସ ସାଂସଦ ସରକାରଙ୍କୁ ଘେରୁଥିବା ବେଳେ ସଡକରେ କଂଗ୍ରେସ ନେତା ଏବଂ କର୍ମୀ ଖୁବ୍ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

କଂଗ୍ରେସ କର୍ମୀ ଏବଂ ମହିଳା ଶାଖା ପାର୍ଟିରେ ଜାତୀୟ କାର୍ଯ୍ୟାଳୟରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିଛି। ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ପାର୍ଟିର ସାଂସଦ ସଂସଦରୁ ବିଜୟ ଚୌକ ପର‌୍ୟ୍ୟନ୍ତ ଶୋଭାଯାତ୍ରା କରିଛନ୍ତି। ଏହା ପରେ ରାହୁଲ ଗାନ୍ଧୀ ସାଂସଦଙ୍କ ସହିତ ବିଜୟ ଚୌକରେ ଧାରଣାରେ ବସିଛନ୍ତି। ହେଲେ ଦିଲ୍ଲୀ ପୋଲିସ ରାହୁଲ ଗାନ୍ଧୀ ଏଦଂ ଅନ୍ୟ ସାଂସଦକୁ ହେପାଜତରେ ନେଇଛି।

ପୋଲିସ ହେପାଜତରେ ନେବା ପୂର୍ବରୁ ରାହୁଲ ଗାନ୍ଧୀ କହିଛନ୍ତି, କଂଗ୍ରେସର ସମସ୍ତ ସାଂସଦ ଏଠାରେ ବେରୋଜଗାରୀ, ଦରବୃଦ୍ଧି ସମେତ ଅନେକ ପ୍ରସଙ୍ଗରେ ଆଲୋଚନା କରିବାକୁ ଆସିଥିଲେ। ମାତ୍ର ପୋଲିସ ଏଠାରେ ବସିବାକୁ ଦେଉ ନାହିଁ। ସଂସଦ ଭିତରେ ଆଲୋଚନା କରିବାକୁ ଦିଆଯାଉ ନାହିଁ। ଏଠାରେ ଆମର ଗିରଫଦାରୀ କରାଯାଉଛି।

ଅପରପକ୍ଷେ ଦିଲ୍ଲୀ ପୋଲିସ କଂଗ୍ରେସ ପାର୍ଟିକୁ ରାଜଘାଟରେ ବିରୋଧ ପ୍ରଦର୍ଶନ କରିବା ପାଇଁ ଅନୁମତି ଦେବାକୁ ମନା କରି ଦେଇଥିଲା। ଏଠାରେ ଧାରା ୧୪୪ ଲାଗୁ କରାଯାଇଛି। ଏପରିକି କଂଗ୍ରେସ କାର‌୍ୟ୍ୟାଳୟ ନିକଟରେ ବହୁ ସଂଖ୍ୟାରେ ପୋଲିସ ବଳ ମୁତୟନ କରାଯାଇଛି। ଏହାକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ୍ କରିଛି।

କଂଗ୍ରେସ ନେତା ଅଜୟ ମାକନ କହିଛନ୍ତି, ଆମେ ରାଜଘାଟରେ ସତ୍ୟାଗ୍ରହ କରିବାକୁ ଚାହୁଁଥିଲୁ। ମାତ୍ର ବିଜେପି ଆମକୁ ଏଥିପାଇଁ ଅନୁମତି ଦେଲା ନାହିଁ। ନ୍ୟାସନାଲ ହେରାଲ୍ଡ ମାମଲା ୨୦୧୬ରେ ସରି ଯାଇଥିଲା। ଇଡି କେସକୁ ବନ୍ଦ କରିଥିଲା। ମାତ୍ର ସରକାର ଏହାକୁ ପୁନର୍ବାର ଖୋଲିଛନ୍ତି। କଂଗ୍ରେସ ନେତାଙ୍କୁ ପାର୍ଟି ଦପ୍ତର ଯିବାକୁ ଦିଆଯାଉ ନାହିଁ। ପୂରା ଦେଶରେ କଂଗ୍ରେସର ନେତା ଏବଂ କର୍ମୀ ସତ୍ୟାଗ୍ରହ କରୁଥିବା ସେ କହିଛନ୍ତି।

 

Get real time updates directly on you device, subscribe now.