ମାତ୍ର ଗୋଟିଏ ଆପରୁ ମିଳିଯିବ ସମସ୍ତ ଅପଡେଟ, ଟିକଟ ବୁକିଂଠାରୁ ଆରମ୍ଭ କରି ଟ୍ରେନ୍ ଷ୍ଟାଟସ୍ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ: ଟ୍ରେନ୍ ସମ୍ପର୍କରେ ଜାଣିବା ପାଇଁ ହେଉ ଅବା ଟିକଟ ବୁକିଂ ପାଇଁ, ଟ୍ରେନ୍ ସମ୍ବନ୍ଧୀୟ ପ୍ରତିଟି କାମ ପାଇଁ ଆମକୁ ଗୋଟିଏ ଗୋଟିଏ ଆପର ସାହାଯ୍ୟ ନେବାକୁ ପଡ଼ୁଛି । ରେଳ ବିଭାଗର ଆପ ବ୍ୟତୀତ ଆମକୁ କିଛିଟା ଥାର୍ଡ ପାର୍ଟି ଆପ ମଧ୍ୟ ବ୍ୟବହାର କରିବାକୁ ପଡ଼ୁଛି, ଯାହା ଦ୍ୱାରା ଆମ ଗୋପନୀୟ ତଥ୍ୟ ହ୍ୟାକ ହେବାର ଆଶଙ୍କା ରହିଛି । ଏ ସବୁ ଅସୁବିଧାକୁ ଦୂର କରିବା ପାଇଁ ଲଞ୍ଚ ହେବାକୁ ଯାଉଛି ଏକ ସୁପର ଆପ । ଯାହା ଜରିଆରେ ଆପଣ ପାଇ ପାରିବେ ରେଳ ସମ୍ବନ୍ଧୀୟ ସମସ୍ତ ପ୍ରକାର ତଥ୍ୟ ।

ସେଣ୍ଟର ଫର ରେଲୱେ ଇନଫରମେଶନ ସିଷ୍ଟମ ଏହି ଆପ ତିଆରି କରିଛି । ଯାହା ଆଇଆରସିଟିସି ଦ୍ୱାରା ସ୍ଥାପିତ ସିଷ୍ଟମ ସହ ମିଶି ଏହି ଆପ୍ କାମ କରିବ । ଖବର ମୁତାବକ ଏହି ସୁପର ଆପ୍ ଡିସେମ୍ବର ମାସରେ ଲଞ୍ଚ କରାଯିବ । ସୁପର ଆପ ଜରିଆରେ ଯାତ୍ରୀ ଲାଭବାନ ହେବେ ଏବଂ ରେଳ ସମ୍ବନ୍ଧୀୟ ବିଭିନ୍ନ କାମ ପାଇଁ ଲୋକମାନେ ଆପର ସାହାଯ୍ୟ ନେବେ ବୋଲି ରେଳ ବିଭାଗ ଆଶା ରଖିଛି ।