ବଡ ଖବର: ୩୦ ଜୁନ୍ ଯାଏଁ ଚାଲିବ ନାହିଁ କୌଣସି ରେଗୁଲାର ଟ୍ରେନ୍, ସମସ୍ତ ଟିକେଟ୍ ବାତିଲ କଲା ରେଳବାଇ

ନୂଆଦିଲ୍ଲୀ,୧୪ ।୫: ୩୦ ଜୁନ୍ ପର୍ଯ୍ୟନ୍ତ ବୁକ୍ ହୋଇଥିବା ସମସ୍ତ ଯାତ୍ରୀଙ୍କ ଟିକେଟ୍ ବାତିଲ କରିଛି ଭାରତୀୟ ରେଳବିଭାଗ । ଅର୍ଥାତ୍ ୩୦ ଜୁନ୍ ପର୍ଯ୍ୟନ୍ତ କୌଣସି ରେଗୁଲାର ବା ନିୟମିତ ଚାଲୁଥିବା ଟ୍ରେନ୍ ଚାଲିବ ନାହିଁ । ବର୍ତ୍ତମାନ ସମୟରେ କୌଣସି ନୂଆ ସଂରକ୍ଷଣ ଟିକେଟ୍ ମଧ୍ୟ କରାଯିବ ନାହିଁ । ଦେଶରେ କରୋନା ସଙ୍କଟରୁ ରକ୍ଷା କରିବା ପାଇଁ ଏଭଳି ନିଷ୍ପତ୍ତି ଗ୍ରହଣ କରିଛି ରେଳବାଇ । କିନ୍ତୁ ଶ୍ରମିକ ସ୍ପେଶାଲ ଟ୍ରେନ୍ ଓ ଅନ୍ୟ ସ୍ୱତନ୍ତ୍ର ଟ୍ରେନ୍ ଉପରେ ଏହାର ପ୍ରଭାବ ପଡିବ ନାହିଁ । ଭାରତୀୟ ରେଳ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଯେଉଁ ଯାତ୍ରୀମାନଙ୍କର ଟିକେଟ୍ ବାତିଲ ହୋଇଛି, ସେମାନଙ୍କୁ ଖୁବ୍ ଶୀଘ୍ର ଆଇଆରସିଟିସି ଜରିଆରେ ଟଙ୍କା ଫେରସ୍ତ କରାଯିବ ।

ତେବେ ଲକ୍-ଡାଉନ୍ ଯୋଗୁଁ ୨୨ ମାର୍ଚ୍ଚରୁ ସବୁ ଟ୍ରେନ୍ ବନ୍ଦ ରହିଛି । ୧୪ ଏପ୍ରିଲ ପର୍ଯ୍ୟନ୍ତ ଆଇଆରସିଟିସିରେ ଟିକେଟ୍ ସଂରକ୍ଷଣ ଚାଲିଥିଲା । ମାର୍ଚ୍ଚ ୨୨ ପୂର୍ବରୁ ଲକ୍ଷ ଲକ୍ଷ ଲୋକ ଅନଲାଇନ ଓ କାଉଣ୍ଟରରୁ ଟିକେଟ କିଣିଥିଲେ । ଲକ୍-ଡାଉନ୍ ପାଇଁ ସେମାନଙ୍କ ଯାତ୍ରା ଠପ୍ ହୋଇଗଲା । ବର୍ତ୍ତମାନ ଏହି ସମସ୍ତ ଟିକେଟ୍ ବାତିଲ ହୋଇ ସେମାନଙ୍କୁ ଟଙ୍କା ଫେରସ୍ତ ହେବ ।