କାଳବୈଶାଖୀ ପ୍ରଭାବରେ କାଲିଠୁ ବର୍ଷା: ଜାଣନ୍ତୁ କେଉଁସବୁ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ରାଜ୍ୟରେ କମିବ ତାତି । ରାଜ୍ୟରେ ୧୯ ତାରିଖରୁ ୨୨ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ଏବଂ ପବନ ପାଇଁ ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ ।

ପବନର ବେଗ ସର୍ବାଧିକ ଘଣ୍ଟାପ୍ରତି ୭୦ କିଲୋମିଟର ହେବ ବୋଲି ଆକଳନ କରାଯାଇଛି । କାଳବୈଶାଖୀ ସମୟରେ କିଛି ଅଞ୍ଚଳରେ କୁଆପଥର ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ପାଣିପାଗ ବିଭାଗ ମୁତାବକ ୨୦ ରୁ ୨୨ ତାରିଖ ଯାଏ କାଳେବଶାଖୀର ଅଧିକ ପ୍ରଭାବ ଦେଖିବାକୁ ମିଳିବ । ଓଡିଶା ଉପକୂଳସ୍ଥ ବଙ୍ଗୋପସାଗର ଅଞ୍ଚଳରେ ଗୁରୁଚାପ ପ୍ରଭାବରେ ରାଜ୍ୟକୁ ପ୍ରଚୁର ଜଳୀୟବାଷ୍ପ ପ୍ରବେଶ କରିବ । ଏହି ସମୟ ମଧ୍ୟରେ ବାୟୁମଣ୍ଡଳର ଉପର ଭାଗରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଉଷ୍ମ ପବନ ସଂସ୍ପର୍ଶରେ ଆସିଲେ କାଳବୈଶାଖୀ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଯାହା ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସିବା ପରେ ଝଡ଼ ପବନ ସାଙ୍ଗକୁ ବର୍ଷା କରାଇବ। ଏହାସହ ଉପରିଭାଗରେ ନିମ୍ନ ଚାପରେଖାର ଉପସ୍ଥିତି କାଳବୈଶାଖୀ ପାଇଁ ଅତ୍ୟନ୍ତ ଅନୁକୂଳ ହେବ । ଫଳରେ ୧୯ରେ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶର, ମୟୂରଭଞ୍ଜରେ ଝଡ଼ପବନ ସହ ବର୍ଷା ସମ୍ଭାବନା ନେଇ ୟେଲୋ ଓ୍ବାର୍ଣ୍ଣିଂ ପାଣିପାଗ ବିଭାଗ ଜାରି କରିଛି ।