fbpx

ଓଡ଼ିଶାକୁ ପ୍ରବେଶ କରିଛି ଜଳୀୟବାଷ୍ପପୂର୍ଣ୍ଣ ବାୟୁ : ୫ଦିନ ଯାଏଁ ବର୍ଷିବ ବୋଲି ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର: ରାଜ୍ୟରେ ଏବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ରହିଛି । ମୌସୁମୀ ଜନିତ ନିମ୍ନ ଚାପରେଖାର ପଶ୍ଚିମ ଭାଗ ହିମାଳୟ ପାଦଦେଶ ଯାଏଁ ଲମ୍ବିଥିବା ବେଳେ ଏହାର ପୂର୍ବ ଭାଗ ମଣିପୁର ଯାଏଁ ଲମ୍ବିଛି । ଅନ୍ୟପକ୍ଷରେ ପୂର୍ବ ବିହାର ଉପରେ ଏକ ଟ୍ରଫ୍ ଲାଇନ୍ ଏବେ ପଶ୍ଚିମବଙ୍ଗ ଓ ସିକିମ ଦେଇ ଉତ୍ତରପଶ୍ଚିମ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଏହାର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ଢ଼େଙ୍କାନାଳ ଓ ଅନୁଗୁଳରେ ବିଜୁଳି ଘଡଘଡିସହ ବର୍ଷା ହୋଇଥିବା ସୂଚନା ମିଳିଛି ।

ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା ରହିଛି । ମୌସୁମୀ ଦୁର୍ବଳ ହୋଇଥିବା ବେଳେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି । ଫଳରେ ୫ଦିନ ଯାଏଁ ବଜ୍ରପାତ ଜନିତ ବର୍ଷା ହେବ ବୋଲି ଆକଳନ କରାଯାଇଛି । ବର୍ଷା ନେଇ କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ସେହିପରି ଉତ୍ତର ଆଭ୍ୟନ୍ତରିଣ ଓ ଉପକୂଳ ଓଡ଼ିଶାର ୧୧ଟି ଜିଲ୍ଲା ପାଇଁ ବଜ୍ରପାତ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ୧୫ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରବଳ ବର୍ଷା ନେଇ ସୁନ୍ଦରଗଡ, ଦେବଗଡ, ସମ୍ବଲପୁର, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୧୬ ତାରିଖରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ କରାଇ ଦେଇଛି ।

Get real time updates directly on you device, subscribe now.