fbpx
BSKY SKY
BSKY SKY

ଏଥର ଗଣେଶ ପୂଜା ବର୍ଷାରେ ଭିଜିବାର ସମ୍ଭାବନା, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ କିଛି ନା କିଛି ବର୍ଷା ହେବ ବୋଲି ପୂର୍ବାନୁମାନ

BSKY

ଓଡିଶା ଭାସ୍କର; ଆସନ୍ତା କାଲି ହେଉଛି ଗଣେଶ ପୂଜା ଯାହାକୁ ନେଇ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟୟରେ ପହଞ୍ଚିଛି । ଏହି ପୂଜାତ୍ସବକୁ ନେଇ ସମସ୍ତ ଭକ୍ତ ମାନେ ଉତ୍ସାହିତ ମଧ୍ୟ ରହିଛନ୍ତି । ହେଲେ ଏଥର ବର୍ଷାରେ ଗଣେଶ ପୂଜା ଭିଜିବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ସୂଚନାନୁସାରେ ଉତ୍ତର ବଙ୍ଗୋପସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ଆରମ୍ଭ ହୋଇଯାଇଛି। ବିଶେଷ କରି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି। ଘୂର୍ଣ୍ଣିବଳୟଟି ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଫଳରେ ଆସନ୍ତା ୨୧ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବ ବୋଲି ଆଶଙ୍କା କରାଯାଉଛି।

ତେବେ ଆସନ୍ତାକାଲି ଭଦ୍ରକ,ବାଲେଶ୍ଵର, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା , ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଆଞ୍ଚଳିକ ପା‌ଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଏଥିସହ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ ବୋଲି ଅନୁମାନ କରାଯାଇଛି । ସେହିପରି ୧୯ ତାରିଖ ଦିନ ବର୍ଷାର ବିସ୍ତୃତି ଓ ପ୍ରଭାବ ବଢ଼ିବ। ଉପକୂଳ ଓ ସଂଲଗ୍ନ ଓଡ଼ିଶାରେ ପ୍ରବଳ ବର୍ଷିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ ବି‌ଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଲଘୁଚାପ ପ୍ରଭାବରେ ୨୦ରୁ ୨୨ ତାରିଖ ଭିତରେ ସବୁଠାରୁ ଅଧିକ ବର୍ଷା ହୋଇପାରେ। ସାଧାରଣ ଭାବେ ୨୦ରୁ ୨୨ ତାରିଖ ମଧ୍ୟରେ ମଧ୍ୟମ ଓ କେତେକ ଆଭ୍ୟନ୍ତରୀଣ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ୨୦ ତାରିଖ ରାତିରୁ ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବର୍ଷାର ପରିମାଣ ଉତ୍ତର ଉପକୂଳରେ କମ୍ ହୋଇପାରେ। ତେବେ ୨୫ ଓ ୨୬ ତାରିଖରେ ଉପକୂଳ ଓ ଉତ୍ତର ଆଭ୍ୟନ୍ତରରେ ବର୍ଷା ପୁଣି ବଢ଼ିବାର ସମ୍ଭାବନା ରହିଛି। ସେ କହିଛନ୍ତି, ଲଘୁଚାପଟି ୨୧ ତାରିଖରେ ରାଜ୍ୟର ସ୍ଥଳଭାଗରେ ପହଞ୍ଚି ପଶ୍ଚିମମୁହାଁ ହେବ। ୨୨ ତାରିଖରେ ବିସ୍ତୃତ ରୂପ ନେବ। ଆଭ୍ୟନ୍ତର ଅଞ୍ଚଳରେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ କିଛି ନା କିଛି ବର୍ଷା ହେବ। ତେବେ ଏହି ବର୍ଷା କାରଣରୁ ଚଳିତଥର ଗଣେଶ ପୂଜା ଫିକା ପଡିପାରେ ବୋଲି ଅନୁମାନ କରାଯାଉଛି ।

 

Get real time updates directly on you device, subscribe now.