ନୂଆଦିଲ୍ଲୀ: କିସମିସ୍ ଶରୀର ପାଇଁ ଅଧିକ ଲାଭଦାୟକ ବୋଲି କୁହାଯାଏ । ସ୍ୱାଦରେ ମିଠା ହେବା ସହିତ କିସମିସରେ ଅନେକ ଗୁଣ ଲୁଚିରହିଛି । ଖାସ୍ କରି ଶୀତଦିନେ କିସମିସ୍ ଖାଇବା ଅଧିକ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଶୀତଦିନେ ଯେବେ ଆପଣଙ୍କୁ ହାଇ କ୍ୟାଲୋରୀ ଆବଶ୍ୟକ, ସେବେ ଆପଣ କିସମିସ୍ ଖାଇଥାନ୍ତି । କିସମିସକୁ ରାତି ସାରା ପାଣିରେ ଭିଜାଇ ଖାଇବା ଅଧିକ ଲାଭଦାୟକ ହୋଇଥାଏ । ଏଥିରେ ଅନେକ ଜରୁରୀ ପୋଷକ ତତ୍ତ୍ୱ ଓ ଫାଇବର ଥିବା ସହ କିସମିସ୍ ଆପଣଙ୍କ ହଜମ ପ୍ରକ୍ରିୟାକୁ ବି ଠିକ୍ ରଖିଥାଏ ।
କିନ୍ତୁ ଅନେକ ଥର ଲୋକମାନେ ଅଧିକ ପରିମାଣର କିସମିସ୍ ଖାଇଥାନ୍ତି । ବିଶେଷଜ୍ଞଙ୍କ କହିବା ମୁତାବକ, ଅଧିକ ପରିମାଣର କିସମିସ୍ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା, ସୁସ୍ଥ କୋଷିକାଗୁଡ଼ିକର ଅକ୍ସିଡେଟିଭ କ୍ଷତି ହୋଇଥାଏ ଓ ରକ୍ତରେ ଶର୍କରା ସ୍ତର ବୃଦ୍ଧି ହୋଇଥାଏ । କିସମିସ୍ ଅଧିକ ଖାଇବା ଦ୍ୱାରା ଶରୀରରେ ଅନେକ ପାର୍ଶ୍ଵ ପ୍ରତିକ୍ରିୟା ରହିଥାଏ । ସେଥିପାଇଁ କିସମିସ୍ ଖାଇବା ଦିନକୁ ୪୦ରୁ ୫୦ ଗ୍ରାମରୁ ଅଧିକ ହେବା ଉଚିତ୍ ନୁହେଁ ।
ଅଧିକ କିସମିସ୍ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଖରାପ ହୋଇପାରେ । କିସମିସରେ ଫାଇବର ଭରପୂର ମାତ୍ରାରେ ରହିଥାଏ ଓ ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । କିନ୍ତୁ ଅଧିକ ମାତ୍ରାରେ ଫାଇବର ଖାଇବାରୁ ହଜମ ପ୍ରକ୍ରିୟା ନଷ୍ଟ ହୋଇପାରେ ଓ ପୋଷକ ତତ୍ତ୍ୱର ଅବଶୋଷଣ କମିଯାଏ । ଫାଇବର ଆମ ସିଷ୍ଟମରୁ ଅତ୍ୟଧିକ ତରଳ ପଦାର୍ଥକୁ ଅବଶୋଷଣ କରିପାରେ । ଅତ୍ୟଧିକ ପାଣି ପିଇବା ବିନା ଏହାକୁ ଖାଇବା ଦ୍ୱାରା ଡିହାଇଡ୍ରେସନ୍, ପେଟର ଅନ୍ୟାନ୍ୟ ରୋଗ ହୋଇପାରେ ।