“ଦାଦି” ଇନ୍ଦିରାଙ୍କ ପାଇଁ ରାତିସାରା ଅନିଦ୍ରା ରାଜସ୍ଥାନ କଂଗ୍ରେସ MLA, ରାଜ୍ୟସାରା ହଇଚଇ
ରାଜସ୍ଥାନ ବିଧାନସଭାରେ ଇନ୍ଦିରା ଗାନ୍ଧୀଙ୍କୁ “ଦାଦି” କହିବାକୁ ନେଇ କଂଗ୍ରେସର ବିଧାୟକମାନେ ଉତ୍ତେଜନା ସୃଷ୍ଟି କରିଛନ୍ତି। ବାଚସ୍ପତି ୬ ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କରିଛନ୍ତି।
ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭାରେ ମନ୍ତ୍ରୀ ଅବିନାଶ ଗେହଲଟଙ୍କ ଦ୍ୱାରା ଇନ୍ଦିରା ଗାନ୍ଧୀଙ୍କୁ “ଦାଦି” ବା ଜେଜେ ମାଆ କୁହାଯିବା ମାମଲା ଥମିବାର ନାମ ନେଉନି। କଂଗ୍ରେସ ଏହାକୁ ବିରୋଧ କରି କହିଛି ଯେ, ଏହା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପାଇଁ ଅପମାନ।
ଏ ନେଇ ବିଧାନସଭାରେ କଂଗ୍ରେସ ଏହାକୁ ବିରୋଧ ପ୍ରଦର୍ଶନ କରି ସ୍ଲୋଗାନ ଦେବା ଆରମ୍ଭ କରିଥିଲା। ଏହି ମାମଲାରେ ୬ ଜଣ ବିଧାୟକଙ୍କୁ ପଦରୁ ନିଲମ୍ବନ କରାଯାଇଛି। ବର୍ତ୍ତମାନ ଏ ନେଇ କଂଗ୍ରେସ ଆନ୍ଦୋଳନ କରିବା ପାଇଁ ଆଲୋଚନା ଜାରି ରଖିଛି।
ଜାରି ରହିବ ଆନ୍ଦୋଳନ: ରାଜସ୍ଥାନ କଂଗ୍ରେସ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରାଯାଇ କୁହାଯାଇଛି ଯେ, ବିଜେପି ସରକାରର ମନ୍ତ୍ରୀଙ୍କ ଦ୍ୱାରା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅପମାନ ଏବଂ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଗୋବିନ୍ଦ ସିଂହ ଡୋଟାସରାଙ୍କ ସମେତ ୬ଜଣ ବିଧାୟକଙ୍କୁ ନିଲମ୍ବନ ବିରୋଧରେ ୨୨ ଫେବୃଆରୀରେ ସମସ୍ତ ଜିଲ୍ଲା ମୁଖ୍ୟଳୟରେ ବିରୋଧ ପ୍ରଦର୍ଶନ କରାଯିବ।
ସଂପୂର୍ଣ୍ଣ ମାମଲା: ଏହି ମାମଲା ରାଜସ୍ଥାନ ବିଧାନସଭାରେ ବିଜେପି ପକ୍ଷରୁ ଦିଆଯାଇଥିବା ଏକ ବିବୃତ୍ତି ପାଇଁ ଘଟିଛି। ବିଧାନସଭା ଚାଲିଥିବା ସମୟରେ ମନ୍ତ୍ରୀ ଅବିନାଶ ଗେହଲଟ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ‘ଦାଦି’ ଅର୍ଥାତ ଜେଜେମା କହିଥିଲେ।
ପ୍ରଶ୍ନକାଳ ସମୟରେ କାର୍ଯ୍ୟରତ ମହିଳାଙ୍କ ପାଇଁ ହଷ୍ଟେଲ ସହ ଜଡିତ ପ୍ରଶ୍ନର ଉତ୍ତର ଦେଇ ବିରୋଧୀଙ୍କୁ ସୂଚାଇ ସେ କହିଛନ୍ତି, “୨୦୨୩-୨୪ ବଜେଟରେ ମଧ୍ୟ ଆପଣ ପ୍ରତିଥର ଭଳି ନିଜ “ଜେଜେ ମାଆ” ଇନ୍ଦିରା ଗାନ୍ଧୀଙ୍କ ନାମରେ ଏହି ଯୋଜନାର ନାମ ରଖାଯାଇଥିଲା।”